ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,୧୭ /୧୨: ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘ଆଦିବାସୀ’ ଜର୍ଣ୍ଣାଲ୍‌ର ୬୦ତମ ସଂକଳନର ପ୍ରଥମ ସଂଖ୍ୟାରେ ପ୍ରଫେସର ଅଖିଳ ବିହାରୀ ଓତାଙ୍କ ଦ୍ୱାରା ପ୍ରସ୍ତୁତ ଏକକ ଗବେଷଣାମୂଳକ ନିବନ୍ଧ ‘କୋଭିଡ୍‌-୧୯ ପରିପ୍ରେକ୍ଷୀରେ ମହାମାରୀର ଜନଜାତି ସଂସ୍କୃତି ଉପରେ ପ୍ରଭାବ’ର ଉନ୍ମୋଚନ କରିଥିଲେ । ଏଥି ସହିତ ସୁଶାସନର ବାର୍ତ୍ତା ଓ ସ୍ୱାକ୍ଷର ବହନ କରି ତୃଣମୂଳ ସ୍ତରର ପ୍ରତିକ୍ରିୟାକୁ ଉପସ୍ଥାପନ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ତ୍ରୈମାସିକ ନ୍ୟୁଜ୍‌ଲେଟର ‘ଭଏସ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବୃତ୍ତିର ଉନ୍ନତି ନିମନ୍ତେ ଏହି ବିଭାଗ ଓ ପିପୁଲ ଫର୍‌ ଆକ୍ସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହା ଦ୍ୱାରା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଶିକ୍ଷାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଓ ବ୍ୟବଧାନ କମିପାରିବ। ଏହି ପ୍ରକଳ୍ପ ଦ୍ୱାରା ଶିକ୍ଷକମାନଙ୍କର ଶିକ୍ଷାଦାନରେ ଅଭିବୃଦ୍ଧି ତଥା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ।

ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆଭେଟି ଲର୍ଣ୍ଣିଂ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ମଧ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ନୂତନ ପଦକ୍ଷେପ ସ୍ୱରୂପ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢ଼ୁଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଡିଜିଟାଇଜେସନ୍‌ କରାଯିବ। ଡିଜିଟାଲ୍‌ ସଲୁ୍ୟସନ୍‌ ଯଥା-ଭିଡ଼ିଓ ମାଧ୍ୟମରେ ପାଠପଢ଼ା, ଅନ୍‌ଲାଇନ୍‌ରେ ଅଭ୍ୟାସ, ମୂଲ୍ୟାଙ୍କନ ଓ ୟୁନିଟ୍‌ ଟେଷ୍ଟ ଆଦି ଜରିଆରେ ଏହି ଡିଜିଟାଇଜେସନ୍‌ ଜାରି ରହିବ। ପିଏଫ୍‌ଇଏଲ୍‌ ସହିତ ବୁଝାମଣାପତ୍ର ଦ୍ୱାରା ଉଲ୍ଲେଖନୀୟ ପଦକ୍ଷେପ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଗୁଣାତ୍ମକ ଶିକ୍ଷା ସହିତ ବିଦ୍ୟାଳୟ ଏବଂ ହଷ୍ଟେଲ୍‌ରେ ପିଲାଙ୍କର ଜୀବନଶୈଳରେ ଉନ୍ନତି ଆଣିବା ସହିତ ଏକ ସରକାରୀ ସହାୟତାରେ ଫେଲୋସିପ୍‌ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରାଯିବ। ଏଥି ପାଇଁ ପିରାମଲ୍‌ ଫାଉଣ୍ଡେସନ୍‌ ଫର ଏଜୁକେସନ୍‌ ଲିଡରସିପ୍‌ (ପି.ଏଫ୍‌.ଇ.ଏଲ୍‌)ସହାୟତା ଓ ସହଯୋଗ କରିବ।