ତୌକତେ ତାଣ୍ଡବ: କର୍ଣ୍ଣାଟକରେ ୪ ମୃତ, ୭୩ ଗାଁ ବି‌ଧ୍ବସ୍ତ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ତୌତେ କାରଣରୁ କର୍ଣ୍ଣାଟକର ୬ଟି ଜିଲ୍ଲାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୭୩ଟି ଗାଁ ବିଧ୍ବସ୍ତ ହୋଇଯାଇଥିବା କଥା ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। ୬ଟି ଜିଲ୍ଲାରୁ ୩ଟି ‌ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ବାକି ୩ଟି ପଶ୍ଚିମଘାଟର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳର ବାତ୍ୟା ପରିସ୍ଥିତି ଉପରେ ଧ୍ୟାନ ରଖିଛୁ। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ସୁନିଶ୍ଚିତ ହେବା ଲାଗି ପ୍ରଭାବିତ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ଓ ଜିଲ୍ଲାପାଳମାନଙ୍କ ସହ ମୁଁ ଯୋଗାଯୋଗ ରଖିଛି।

ସାମୁଦ୍ରିକ ବାତ୍ୟା ତୌତେ ସମ୍ପ୍ରତି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୁହାଁଉଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ବିଳମ୍ବିତ ଅପରାହ୍ଣ ସୁଦ୍ଧା ଏହାର କେନ୍ଦ୍ରସ୍ଥଳ ଉତ୍ତର-ଉତ୍ତରପଶ୍ଚିମ ଗୋଆ ଉପରେ ଥିବ। ବାତ୍ୟା ପ୍ରକୋପରୁ ଦିନ ତମାମ ପବନ ଓ ବର୍ଷା ଲାଗି ରହିବ। ସେପଟେ, ସାମୁଦ୍ରିକ ବାତ୍ୟା ତୌତେର ମୁକାବିଲା ପାଇଁ ମହାରାଷ୍ଟ୍ରର ପ୍ରସ୍ତୁତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପୂର୍ବାହ୍ନ ୧୧.୩୦ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିବେ ବୋଲି ଟୁଇଟ୍‌ କରି ସୂଚନା ଦେଇଥିଲେ।