ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର

ଭୁବନେଶ୍ୱର, ୨୯/୦୧ : ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ଡାକ୍ତର। ଡାକ୍ତର ଜଣକ ହେଉଛନ୍ତି ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେନିୟମରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଆଜି ଅପରାହ୍ନରେ ଡକ୍ଟର ସନାତନ ବେହେରାଙ୍କୁ କଟକର କାଠଗୋଲାସାହି-ମେଡିକାଲ ରୋଡରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକାଇ ଦିଆଯାଇଥିଲା। ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି। ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର ଡାକ୍ତର ବେହେରା ନିଜ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ତଲାସି ବେଳେ ତାଙ୍କ ପାଖରୁ ନଗଦ ଟଙ୍କା ମିଳିଥିଲା, ଯାହାର କୌଣସି ସଠିକ୍ ହିସାବ ସେ ଦେଇପାରିନଥିଲେ। ଡାକ୍ତର ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିବା ସହିତ ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି।