ଘରୋଇ ସ୍କୁଲ ଫି‌ ଛାଡ଼ ପ୍ରସଙ୍ଗ : ଆପୋଷ ଆଲୋଚନାରେ ସମାଧାନ ପାଇଁ ହାଇକୋର୍ଟଙ୍କ ପରାମର୍ଶ

କଟକ : ରାଜ୍ୟରେ ବେସରକାରୀ ସ୍କୁଲ ଫି‌ ଛାଡ଼ ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆଲୋଚନା ମାଧ୍ୟମରେ ଆପୋସ ସମାଧାନ ପାଇଁ ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଘଟଣାରେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ କରି ଆପୋସ ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।

ବୈଠକରେ ନିଷ୍କର୍ଷ ସଂପର୍କରେ ଗଣଶିକ୍ଷା ସଚିବ ହାଇକୋର୍ଟରେ ସବିଶେଷ ତଥ୍ୟ ଦାଖଲ କରିବେ। ଚଳିତ ସପ୍ତାହରେ ଏ ସଂପର୍କିତ ବୈଠକ ଡକାଇବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ୩ଟି ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।