ଭୁବନେଶ୍ୱର, ୮/୧ : ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲୁଛି ସ୍କୁଲ । ଏଥିପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାର୍ଗଦର୍ଶିକା(ଏସ୍ଓପି) ଜାରି ହୋଇଛି।
ଏହି ମାର୍ଗଦର୍ଶିକା ଅନୁଯାୟୀ, ସ୍କୁଲ ପରିସର ଓ କ୍ଲାସ ରୁମ୍ ସାନିଟାଇଜ କରାଯାଇଛି। ସ୍କୁଲରେ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ହାତ ସାନିଟାଇଜ କରିବା ଲାଗି ଜଣେ ଶିକ୍ଷକ ସ୍କୁଲ ଗେଟ ପାଖରେ ରହିବେ। କ୍ଲାସ ରୁମକୁ ପଶିବା ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହାତ ସାନଟାଇଜ କରି ଭିତରକୁ ଛାଡିବେ। କ୍ଲାସ ଭିତରେ ୫ ଫୁଟ ଦୁରତାରେ ଛାତ୍ରଛାତ୍ରୀ ବସିବେ। ସେହିପରି ଗୋଟିଏ କ୍ଲାସରେ ୨୦ ଜଣ ଛାତ୍ରଛାତ୍ରୀ ବସିବେ। ସାବୁନରେ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।