ଭୁବନେଶ୍ୱର,୨/୧: ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ୍ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ୍ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।