ଆଜି ବନ୍ଦ ରହିବ ଯାଜପୁର ପୌରାଞ୍ଚଳର ସମସ୍ତ ସ୍କୁଲ

ଭୁବନେଶ୍ୱର, ୦୩/୦୨ : ସୋମବାର ଠାରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଯାଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆଜି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଆଜି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ଛୁଟି ଘୋଷଣା କରିଛନ୍ତି। କଡ଼ା ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ଆଜି ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।