ରାଷ୍ଟ୍ରପତିଙ୍କ ଠାରୁ “ଜାତୀୟ ଚଳଚ୍ଚିତ୍ର ପୁରସ୍କାର” ଗ୍ରହଣ କଲେ ଇତିରାଣୀ ସାମନ୍ତ
‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ନୂଆଦିଲ୍ଲୀ,୨୩/୯ : (ଓଡିଶା ଖବର) – ଆଜି ଅପରାହ୍ନ ୪ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପାଇଁ ବଛାଯାଇଥିବା ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ନେଇ ପ୍ରଦାନ କରାଯାଇଛି। ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ ‘ଅଣଫିଚର ଫିଲ୍ମ ବର୍ଗ’ରେ ପୁରସ୍କାର ହାସଲ କରିଛି। ହିମାଂଶୁ ଶେଖର ଖଟୁଆଙ୍କ ସ୍ଥାନରେ ଫିଲ୍ମର ପ୍ରଯୋଜିକା ଇତିରାଣୀ ସାମନ୍ତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି ।
କାଦମ୍ବିନୀ ମିଡିଆ ପ୍ରଯୋଜିତ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ପର୍ଯ୍ୟବେସିତ। ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଗବେଷଣା ଆଧାରିତ। ଏଥିରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଓ ସଂଘର୍ଷ ଚିତ୍ରିତ ହୋଇଥିଲା। ଏହାର ପ୍ରଯୋଜନା କରିଥିଲେ ଇତିରାଣୀ ସାମନ୍ତ ।
