ଔରଙ୍ଗାବାଦ, ୨୪/୪: ଏମିତି ଜଘନ୍ୟ ଘଟଣା ଘଟିଛି ବିହାର ଔରଙ୍ଗାବାଦ ଜିଲ୍ଲା କାସମା ଥାନା ଅନ୍ତର୍ଗତ ଅପକି ଗାଁରେ । ଦ୍ଵିତୀୟ ବିବାହ କରିବାକୁ ମନା କରିବାକୁ କ୍ରୋଧିତ ସ୍ଵାମୀ ସ୍ତ୍ରୀ ଏବଂ ଝିଅକୁ ହତ୍ୟା କରିବାକୁ ପଛାଇ ନାହିଁ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଶରୀର ପଠାଇ ଦେଇଛି।
ମୃତକ ମହିଳା ନୀଲମ କୁମାରୀଙ୍କ ପରିଜନ କହିଛନ୍ତି ଯେ, ଆଜି ସକାଳେ ଉଭୟ ମା ଏବଂ ଝିଅଙ୍କ ହତ୍ୟା ହୋଇଥିବା ଖବର ପାଇଥିଲୁ। ତୁରନ୍ତ ଝିଅର ଶାଶୁଘରେ ଯାଇ ଦେଖିଲୁ ଯେ, ନୀଲମ ଏବଂ ତା ସାତ ବର୍ଷୀୟ ଝିଅର ମୃତ ଶରୀର ପଡି ରହିଛି। ପୋଲିସକୁ ଏହାର ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ଅଭିଯୁକ୍ତ ସ୍ଵାମୀ ଉପୁ ରଜକକୁ ପୋଲିସ ଗିରଫ କରି ଜେରା କରୁଛି।
ନୀଲମଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଉପୁ ରଜକ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲା। ନୀଲମ ଏହାର ବିରୋଧ କରୁଥିଲା। ଏହାକୁ ନେଇ ଅଭିଯୁକ୍ତ ନୀଲମକୁ ନିର୍ଯ୍ୟାତନା ଦେଇ ଆସୁଥିଲା। ଏହି କାରଣୁ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ।
ଏଥର ମଧ୍ୟ ସେ ବାପଘରେ ଥିଲେ। ତେବେ ଏକ ସପ୍ତାହ ପୂର୍ବେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ପରେ ନୀଲମ ଶାଶୁ ଘରକୁ ଆସିଥିଲେ। କିନ୍ତୁ ଏଥର ସ୍ଵାମୀ ଉଭୟ ମା ଓ ଝିଅକୁ ଜାଳି ଅତି ନିର୍ମମ ଭାବେ ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।