ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ଆଜି

ନୂଆଦିଲ୍ଲୀ, ୨୩/୧୦ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ଆଡିଲେଡରେ ଖେଳାଯିବ। ପର୍ଥରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଡିଏଲଏସ ପ୍ରଣାଳୀ ଅନୁସାରେ ସାତ ଓ୍ଵିକେଟରେ ପରାଜିତ ହୋଇଥିଲା। ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ତେଣୁ ଦ୍ଵିତୀୟ ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ସମୟ ସକାଳ ୯ଟାରେ ଆରମ୍ଭ ହେବ। ଆଡିଲେଡରେ ସଭିଙ୍କ ନଜର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। କୋହଲିଙ୍କ ଏହି ଗ୍ରାଉଣ୍ଡରେ ରେକର୍ଡ ଦମଦାର ରହିଛି। କୋହଲି ଆଡିଲେଡରେ ତିନୋଟି ଫର୍ମାଟକୁ ମିଶାଇ ମୋଟ୍ ୧୨ଟି ମ୍ୟାଚ୍ ଖେଳିଛନ୍ତି। ଏଥିରୁ ୬୫ ହାରରେ ୫ ଶତକ ସହ କରିଛନ୍ତି ୯୭୫ ରନ। ଆଡିଲେଡରେ କୋହଲି ୪ଟି ଦିନିକିଆ ଖେଳି ୬୧ ହାରରେ ୨୪୪ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ସାମିଲ୍। ତେଣୁ କୋହଲି ପୁଣି ଥରେ ନିଜର ପସନ୍ଦର ଗ୍ରାଉଣ୍ଡରେ ଧମାଲ କରିବାକୁ ଚାହିଁବେ।

ବିରାଟ କୋହଲିଙ୍କ ପରି ଆଡିଲେଡରେ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଦଳ ଏହି ମଇଦାନରେ ୧୫ଟି ଦିନିକିଆ ଖେଳି ୯ଟି ଜିତିଛି ଏବଂ ୫ଟି ହାରିଛି। ଗୋଟିଏ ମୁକାବିଲା ଟାଇ ରହିଛି। ଏହି ମଇଦାନରେ ଭାରତ ଶେଷ ଥର ୨୦୦୮ ଫେବୃଆରୀ ୧୭ରେ ପରାଜିତ ହୋଇଥିଲା। ଅର୍ଥାତ ଗତ ୧୭ ବର୍ଷ ହେବ ଏହି ଗ୍ରାଉଣ୍ଡରେ ଭାରତ ପରାଜିତ ହୋଇ ନାହିଁ। ଏହି ଅବଧିରେ ଟିମ୍ ଇଣ୍ଡିଆ ୫ଟି ଦିନିକିଆ ଖେଳି ୪ଟି ଜିତିଥିବା ବେଳେ ଗୋଟିଏ ମୁକାବିଲା ଟାଇ ରହିଛି।

ଦ୍ଵିତୀୟ ଦିନିକିଆ ପାଇଁ ଭାରତର ସମ୍ଭାବିତ ଏକାଦଶ

ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ନୀତିଶ ରେଡ୍ଡୀ, କୁଲଦୀପ ଯାଦବ, ହର୍ଷିତ ରାଣା/ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ।

 

SBI_Festive_Digital Billboard