ହକି ବିଶ୍ୱକପ୍‍ ପାଇଁ ସୁରକ୍ଷା କଡ଼ାକଡ଼ି : ତାମିଲନାଡୁ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ  

ଭୁବନେଶ୍ୱର: ଆସନ୍ତା ହକି ବିଶ୍ୱକପ୍‍ ପାଇଁ ଜୋର୍‍ଦାର ପ୍ରସ୍ତୁତି ଚାଲିଛି । ହକି ବିଶ୍ୱକପ୍‍ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ବୈଠକରେ ଡିସିପି ପ୍ରତୀକ ସିଂ କହିଛନ୍ତି, ୫୦ ପ୍ଲାଟୁନ୍‍ ଫୋର୍ସ୍‍କୁ ଭୁବନେଶ୍ୱରରେ ନିୟୋଜିତ ରଖାଯିବ । ଖେଳାଳି ରହୁଥିବା ହୋଟେଲ୍‍ରେ ୨୪ ଘଣ୍ଟିଆ ପୁଲିସ୍‍ ମୁତୟନ ରହିବେ । ପୁଲିସ୍‍ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପକ୍ଷରେ କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଉଦ୍‍ଘାଟନୀ ଉତ୍ସବ ପାଇଁ ଆଜି ଅନ୍‍ଲାଇନ୍‍ରେ ଟିକେଟ୍‍ ବିକ୍ରି ଆରମ୍ଭ ହୋଇଛି । ପେଟିଏମ୍‍ ଇନ୍‍ସାଇଡର ୱେବ୍‍ସାଇଟ୍‍ରେ ଟିକେଟ୍‍ ମିଳୁଥିବା ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍‍ଘାଟନୀ ଉତ୍ସବ ନିମନ୍ତେ କଟକ ସହରକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରଶିଳ୍ପୀମାନେ ସହରର କାନ୍ଥ, ପ୍ରାଚୀରରେ ବିଭିନ୍ନ ଆକର୍ଷକ ଚିତ୍ର ଆଙ୍କୁଛନ୍ତି ।

ରେଭେନ୍‍ସା ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ବାଲିଯାତ୍ରା ପଡିଆ, ବାରବାଟୀ ଷ୍ଟାଡିୟମ୍‍ ଆଦି ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଏହାବ୍ୟତୀତ ସହରକୁ ସଂଯୋଗ କରୁଥିବା ନଦୀବନ୍ଧବାଡ଼, ଫ୍ଲାଏଓଭର କାନ୍ଥଗୁଡ଼ିକରେ ହକି ଓ ସହରର ସଂସ୍କୃତି ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ଚିତ୍ରକଳା କରାଯାଉଛି । ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବରେ ବଲିଉଡ୍‍ର ସିନେତାରକା ରଣବୀର ସିଂ ଓ ଦୀଶା ପଟାନୀ ମୁଖ୍ୟ ଆକର୍ଷଣ ହେବେ ।

ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି  । ସେହିଭଳି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ନୂଆଦିଲ୍ଲୀ ଠାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ ମୋହନ ରେଡ୍ଡୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି  ।

SBI AD