ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ

ନୂଆଦିଲ୍ଲୀ, ୨୫/୧୧ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ଘଟିଯାଇଛି । ଏନେଇ ତାଙ୍କ ପୁଅ ଫଇଜଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

କରୋନାରେ ସଂକ୍ରମିତ ହୋଇ ସେ ଅନେକ ଦିନ ହେବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହା କହିବା ଅତ୍ୟନ୍ତ ଦୁଃଖଦାୟକ ଯେ ମୋର ପିତା ଅହମ୍ମଦ ପଟେଲ ନଭେମ୍ବର ୨୫ ବିଳମ୍ବିତ ରାତ୍ରି ୩ଟା ୩୦ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ଶରୀରର ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ମୁଁ ସମସ୍ତ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ, କୋଭିଡ -୧୯ ନିୟମକୁ ଅନୁସରଣ କରନ୍ତୁ।

ଗୁଜୁରାଟର ଭାରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଜନ୍ମ ହୋଇଥିବା ପଟେଲ ତିନିଥର ଲୋକସଭା ସାଂସଦ ଏବଂ ପାଞ୍ଚ ଥର ରାଜ୍ୟସଭା ସାଂସଦ ଥିଲେ  । ପଟେଲ 1977 ମସିହାରେ ଭାରୁଚରୁ ତାଙ୍କର ପ୍ରଥମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି 62,879 ଭୋଟରେ ଜିତିଥିଲେ।  1980 ରେ ସେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏଥର 82,844 ଭୋଟରେ ଜିତିଥିଲେ  ।  1984 ର ତୃତୀୟ ଲୋକସଭା ନିର୍ବାଚନରେ ​​ସେ 1,23,069 ଭୋଟରେ ଜିତିଥିଲେ । ଅହମ୍ମଦ 1993 ରୁ ରାଜ୍ୟସଭା ସାଂସଦ ଥିଲେ ଏବଂ 2001 ମସିହାରୁ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ମଧ୍ୟ ଥିଲେ ।