ଆଜିଠାରୁ ରାଜ୍ୟସ୍ତରୀୟ ସେରୋ ସର୍ଭେ ଆରମ୍ଭ, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର, ୨୯/୮: ରାଜ୍ୟରେ ଆଜିଠାରୁ ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଆରଏମଆରସି ଏହି ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରିବ। ତେଣୁ ଏସବୁ ଜିଲ୍ଲାଗୁଡ଼ିକରେ ନମୁନା ସଂଗ୍ରହ ସମୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଚିଠି ଜାରି ହୋଇଛି।

ଏହି ସେରୋ ସର୍ଭେରେ ସାଧାରଣ ଲୋକଙ୍କଠାରୁ ସମୁଦାୟ ୬୬୮୦ ନମୁନା ଓ ପ୍ରତି ଜିଲ୍ଲାରୁ ଶହେ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ କରାଯିବ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଧା, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସାମିଲ ରହିଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ନମୁନା ସଂଗ୍ରହ କାର୍ଯ୍ୟ ଜାରି ରହିବ। ନମୁନା ସଂଗ୍ରହ ପାଇଁ ଆରଏମଆରସି ପକ୍ଷରୁ ଆବଶ୍ୟକ ମାନବ ସମ୍ବଳ ଓ ଲଜିଷ୍ଟିକ ବ୍ୟବସ୍ଥା କରାଯାଇଛି।

ସେହିପରି ନମୁନା ସଂଗ୍ରହ ସୁରୁଖୁରୁରେ ହେବା ଲାଗି ଏସବୁ ଜିଲ୍ଲାରେ ଜଣେ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ସମସ୍ତ ତଥ୍ୟ ଜିଲ୍ଲାପାଳମାନେ ଆରଏମଆରସି ନିର୍ଦେଶିକାଙ୍କୁ ପଠାଇବେ। କରୋନାର ଦ୍ବିତୀୟ ଲହର ସମୟରେ ଲୋକମାନଙ୍କ ମଧ୍ୟରେ କେତେକ ପରିମାଣରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ଲାଗି ରାଜ୍ୟମାନଙ୍କୁ ସେରୋ ସର୍ଭେ କରିବା ଲାଗି କେନ୍ଦ୍ର ସରକାର କହିଥିଲେ। ଯେଉଁ ଟିମ୍ ଜିଲ୍ଲାସ୍ତରରେ ସର୍ଭେ କାର୍ଯ୍ୟ କରିବ ସେମାନଙ୍କୁ ରକ୍ତ ନମୂନା ସଂଗ୍ରହ ନିମନ୍ତେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।