ଆଜିଠୁ କଟକରେ ସେରୋଲୋଜିକାଲ୍ ସର୍ଭେ

କଟକ, ୨/୧୧ : ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତଭାବେ ଏହି ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ସର୍ଭେ ଚାଲିବ । ଏହି ସର୍ଭେରେ ନାବାଳକ ଓ ଗର୍ଭବତୀ ମାନଙ୍କୁ ସାମିଲ କରାଯିବ ନାହିଁ ।

ସେରୋ ସର୍ଭେ ପାଇଁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୫ ଜଣ ଲେଖାଁଏ ସଦସ୍ୟ ରହିଛନ୍ତି । ଏବଂ ପ୍ରତ୍ୟେକ ଟିମକୁ ୫ ଟି ଲେଖାଁଏ ୱାର୍ଡର ଦାୟିତ୍ବ ଦିଆଯାଇଛି । ପ୍ରତିଦିନ ସେରୋ ସର୍ଭେ ସକାଳ ୮ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି ।

ସେହି ତୁଳନାରେ ଆରୋଗ୍ୟହାର ମଧ୍ୟ ବେଶ୍ ଭଲ ରହିଛି । ଏହି ସେରୋ ସର୍ଭେରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ବିକଶିତ ହୋଇଛି । ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ବୃଦ୍ଧି ପାଇଛି, ତାହା ଜାଣାପଡିବ । ପୂର୍ବରୁ କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସେରୋ ସର୍ଭେ କରାଯାଇଥିଲା ।