ନୂଆଦିଲ୍ଲୀ, ୧୩/୦୨ : ଆଜି ସକାଳୁ ସକାଳୁ ବେଙ୍ଗାଲୁରୁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବାଇକ୍, ଏକ କାର ଏବଂ ଏକ କ୍ୟାଣ୍ଟର ଟ୍ରକ୍ ମଧ୍ୟରେ ହୋଇଥିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । କାରରେ ଯାତ୍ରା କରୁଥିବା ଛଅ ଜଣ ଯାତ୍ରୀ ଏବଂ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ହୋସକୋଟରୁ ଦେବନାହଲ୍ଲି ଯାଉଥିବା ଏକ କାର ମୋଟରସାଇକେଲକୁ ପଛ ପଟୁ ଧକ୍କା ଦେଇଥିଲା । ପ୍ରଥମ ଧକ୍କା ହେବା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଯାହା ଫଳରେ ଗାଡ଼ିଟି ଏକ କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା । ଅନ୍ୟ କାରଟି ମଧ୍ୟ ସେହି ସମୟରେ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୬ ଜଣ ଏବଂ ଜଣେ ବାଇକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ବେଙ୍ଗାଲୁରୁର ବାସିନ୍ଦା ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି । ପରେ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହୋସାକୋଟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।