ଭୁବନେଶ୍ୱର: ଗୋଟିଏ ପଟେ କରୋନାର ତାଣ୍ଡବ ସାଙ୍ଗକୁ ଅନ୍ୟ ପଟେ ଲୋକେ ତାତିରେ ଡହଳ ବିକଳ ହେଉଛନ୍ତି । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅବ୍ୟାହତ ରହିଛି । ବୁଧବାର ଦିନ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ତାଠୁ ଅଧିକ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ବୌଦ୍ଧ ଜିଲ୍ଲାର ତାପମାତ୍ରର ରାଜ୍ୟରେ ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସ ରହିଥିବାବେଳେ ଝାରସୁଗୁଡାର ତାପମାତ୍ରା ୪୨.୮ ଡିଗ୍ରୀ ସେଲସିୟସ ରହିଛି ।
ସେହିପରି ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ଥିବା ବେଳେ ସମ୍ବଲପୁରର ୪୨.୩, ଅନୁଗୁଳ ୪୨.୧ ଥିବା ବେଳେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଯଥାକ୍ରମେ ୩୯.୮ ଓ ୩୯.୫ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରୁ ଜଣାପଡିଛି । ତେବେ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗବିଭାଗ ଅନୁମାନ କରୁଛି । ସେହିପରି ୩ ଦିନ ପରେ ରାଜ୍ୟର ଅଭ୍ୟନ୍ତରିଣ ଜିଲ୍ଲ।।ରେ ମଧ୍ୟ ୨-୩ ଡିଗ୍ରୀ ତାପମାତ୍ରା କମ ହେବ ବୋଲି ବିଭାଗ ଆକଳନ କରୁଛି ।
ବିଭାଗ ପକ୍ଷରୁ ଆହୁରି କହିଛି, ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଆକାଶ ସାମାନ୍ୟ ମେଘାଛନ୍ନ ରହିବା ସହ ବିଜୁଳି ଘଡଘଡିର ସମ୍ଭାବନା କରାଯାଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୦ ଡିଗ୍ରୀ ସେଲସିୟସରୁ ୨୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି କୁହାଯାଇଛି ।