ମୁମ୍ବାଇ, ୨୮ /୨ : ବଲିଉଡ ଅଭିନେତା ଶାହିଦ କପୁରଙ୍କ ଭାଗ୍ୟ ଚମକୁଛି। କବିର ସିଂହ ସୁପରହିଟ ହେବାପରେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଜର୍ସି’କୁ ନେଇ ଖୁବ ଚର୍ଚ୍ଚା ହେଉଛି। ‘ଜର୍ସି’ରେ ସେ ଭିନ୍ନ ଅବତାରରେ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଅଛି। ଇତି ମଧ୍ୟରେ ଜଣାପଡିଛି ଯେ ୩ ବର୍ଷ ପରେ ପୁଣି ଏକ ବାୟୋପିକରେ ନଜର ଆସିପାରନ୍ତି। ସେ ମରାଠା ଗୌରବ ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ଚରିତ୍ରରେ ନଜର ଆସିବେ।
ଶାହିଦ କପୁର କୌଣସି ଐତିହାସିକ ଫିଲ୍ମରେ କାମ କରିବା ଏହା ପ୍ରଥମ ମଉକା ନୁହେଁ। ଏହା ପୂର୍ବରୁ ସେ ସଞ୍ଜୟ ଲୀଳା ଭନସାଲିଙ୍କ ‘ପଦ୍ମାବତ’ରେ ରାଜା ରତନ ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଶାହିଦଙ୍କ ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ରାଜାଙ୍କ ଚରିତ୍ରକୁ ସେ ବଡ ପରଦାରେ ଜୀବନ୍ତ କରିଦେଇଥିଲେ।
ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଅନେକ ଫିଲ୍ମ ନିର୍ମାତା ବାୟୋପିକ କରିବାକୁ ଯୋଜନା କରୁଛନ୍ତି। ଶିବାଜୀ ମହାରାଜ ମରାଠା ସହ ପୁରା ଦେଶର ଗୌରବର ପ୍ରତୀକ। ସେଥିପାଇଁ ତାଙ୍କ ଚରିତ୍ରରେ ଅଭିନୟ କରିବାକୁଥିବା ଅଭିନେତା ମଧ୍ୟ ସେମିତି ଦମଦାର ହେବା ଉଚିତ। ଶିବାଜୀ ମହାରାଜଙ୍କ ଛବି ପାଇଁ ଅଶ୍ଵିନ ୱର୍ଦେଙ୍କୁ ଶାହିଦ କପୁର ଠିକ ଲାଗିଲେ। ଶାହିଦ କପୁର ମଧ୍ୟ ଏହି ଚରିତ୍ର ପାଇଁ ରାଜି ଅଛନ୍ତି।