ମର୍ଡର କେସରେ ମେଣ୍ଢା ଦୋଷୀ, ଅଜବ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲା: ମହିଳାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବ ମେଣ୍ଢା । ଦକ୍ଷିଣ ସୁଡ଼ାନରେ ରୁମ୍ବେକ ଇଷ୍ଟ କାଉଣ୍ଟରେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ମାମଲାରେ ଅଭିଯୁକ୍ତ ମେଣ୍ଢାକୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍‌ ହୋଇଛି। ତାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଏକ ରୋଚକ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଦକ୍ଷିଣ ସୁଡାନରେ ଘଟିଛି।

ସୂଚନା ଅନୁସାରେ, ରୁମ୍ବେକ ଇଷ୍ଟ କାଉଣ୍ଟିରେ ୪୦ ବର୍ଷୀୟ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଅଭିଯୋଗରେ ଏକ ମେଣ୍ଢାକୁ ଗିରଫ କରାଯାଇଛି।ଉକ୍ତ ଅଭିଯୁକ୍ତ ମେଣ୍ଢା ନିଜ ଶିଙ୍ଗରେ ପ୍ରଥମେ ମହିଳାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଏହାପରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ମହିଳା ଜଣକ ଏଧିଓ ଚାମ୍ପିଂ ବୋଲି ଜଣାପଡିଛି। ହତ୍ୟାକରୀ ମେଣ୍ଢାକୁ ବର୍ତ୍ତମାନ ତିନି ବର୍ଷ ପାଇଁ ଲେକ୍ସ ଷ୍ଟେଟ୍‌ର ଏଡୁଏଲ କାଉଣ୍ଟି ମୁଖ୍ୟାଳୟର ଏକ ସୈନ୍ୟ ଶିବିରରେ ରଖାଯାଇଛି। ପୁଲିସ କହିବା ମୁତାବକ, ମେଣ୍ଢାକୁ ଗିରଫ କରି ବର୍ତ୍ତମାନ ମାଲେଙ୍ଗ ଅଗୋକ ପାୟମର ଏକ ପୁଲିସ ଷ୍ଟେସନରେ ରଖାଯାଇଛି।

ସେପଟେ ମହିଳାଙ୍କ ହତ୍ୟା ଅଭିଯୋଗରେ ମେଣ୍ଢାର ମାଲିକକୁ ମଧ୍ୟ ଦଣ୍ଡ ମିଳିଛି। ଜରିମାନା ବାବଦକୁ ସେ ପୀଡିତା ପରିବାରଙ୍କୁ ୫ଟି ଗାଈ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ, ମେଣ୍ଢାଟି ମୁକ୍ତ ହେବା ପରେ ବି ତାକୁ ମାଲିକଙ୍କୁ ନିଆଯିବ ନାହିଁ । କାହିଁକି କିନା ଲେକ ଷ୍ଟେଟରେ ଆଇନ ଅଛି କି, କୌଣସି ବ୍ୟକ୍ତିଙ୍କୁ ମାରିଥିବା ପଶୁକୁ ମୃତକଙ୍କ ପରିବାରକୁ ଦିଆଯାଏ ।