ଭୁବନେଶ୍ୱର, ୦୪/୦୨ : ଆସନ୍ତା ୧୫ ସୁଦ୍ଧା ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ ଏବଂ ଆନୁସାଙ୍ଗିକ ସାମଗ୍ରୀ ବଣ୍ଟନ ଶେଷ କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରା ସମସ୍ତ ଡିଇଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏଥିରେ ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ । ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ୟୁନିଫର୍ମ ହିସାବରେ ପୋଷାକଗୁଡ଼ିକର ରଙ୍ଗ, ଡିଜାଇନ୍ ଏବଂ ଗୁଣବତ୍ତା ରହିବ । ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ । ଏଥିପାଇଁ କୌଣସି ନୂତନ ଟେଣ୍ଡର ଗ୍ରହଣ କରାଯିବ ନାହିଁ । ଓସେପା ଏହି କାର୍ଯ୍ୟକ୍ରମକୁ ‘ଅତି ଜରୁରୀ’ ବିଭାଗରେ ସୂଚୀବଦ୍ଧ କରିଛି । ଡିଇଓ ଏବଂ ଡିପିସି ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ । ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ଏବଂ ପ୍ରାକ୍-ପ୍ରାଥମିକ ସ୍ତରରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଏପ୍ରିଲ ୨ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଶୁ ବାଟିକାର ଶୁଭାରମ୍ଭ କରିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯାଇଛି । ଏହି ସବୁ ଶିଶୁ ବାଟିକାରେ ୫ରୁ ୬ ବର୍ଷ ବୟସର ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବେ ।