ଆମେରିକାରେ ଗୁଳିକାଣ୍ଡ: ୧୦ ମୃତ, ୧୯ ଆହତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଗୁଳି ବିନିମୟ ସଂଘଠିତ ହେବାରୁ ଏଥିରେ ଅତିକମରେ ୧୦ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଯଦିଓ ଏ ନେଇ ଏ ପର୍ଯ୍ୟନ୍ତ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ତେବେ ଏକ ରିପୋର୍ଟ ଅନୁଯାୟୀ ଏହି ଗୁଳିକାଣ୍ଡରେ ୧୯ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛି । କିଛି ସୋସିଆଲ ମିଡିଆ ଆକାଉଣ୍ଟରେ କୁହାଯାଇଛି ଯେ ବର୍ଣ୍ଣବୈଷମ୍ୟକୁ ନେଇ ଏହି ରକ୍ତପାତ ହୋଇଛି । ସ୍ଥାନୀୟ ଲୋକ ଏବଂ ଏସୀୟ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସା ସୃଷ୍ଟି ହୋଇଥିଲା ।

ଏଥିରେ ଚାଇନାର ଜଣେ ୧୭ ବର୍ଷ ବୟସ୍କ ଯୁବକ ମଧ୍ୟ ନିହତ ହୋଇଛନ୍ତି । ମୋଣ୍ଟେରୀ ପାର୍କର ଜନସଂଖ୍ୟା ପ୍ରାୟ ୬୦ହଜାର ହୋଇଥିବା ବେଳେ ସେଥିମଧ୍ୟରୁ ୬୫% ଏସୀୟ ଆମେରିକୀୟ । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଚାଇନାର ମୂଳ ବାସିନ୍ଦା ଅଟନ୍ତି । ‘ସ୍କାଏ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ ଘଟଣା ସମୟରେ ଜୋରରେ ସଙ୍ଗୀତ ବାଜୁଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣାପଡ଼ିନଥିଲା କି ଆତସବାଜି ହେଉଛି କିମ୍ବା ଗୁଳି ବିନିମୟ ହେଉଛି । କିଛି ସମୟ ପରେ ଆହତ ଲୋକମାନେ ଦୌଡୁଥିବା ଦେଖିବାକୁ ମିଳିବା ପରେ ସତ୍ୟାସତ୍ୟ ଜଣାପଡ଼ିଥିଲା ।