ଭୁବନେଶ୍ୱର,୨୩/୧୧: ବହୁଚର୍ଚ୍ଚିତ ପୁଲିସ୍ ଏସ୍ଆଇ ଜାଲିଆତି ଘଟଣାରେ ପୁଣି ୭ ପରୀକ୍ଷାର୍ଥୀଙ୍କୁ ସିବିଆଇ ଜେରା କରିଛି । ଶନିବାର ସନ୍ଧ୍ୟା ୬ଟା ବେଳେ ଦୁଇ ଜଣ ସିବିଆଇ କାର୍ଯ୍ୟାଳୟରୁ ଫେରିଥିଲେ । ବାକି ୫ ଜଣ ଅପରାହ୍ଣ ୪ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି । ରାତି ସାଢ଼େ ୯ଟାରେ ସେମାନେ ଫେରିଥିଲେ । ପରୀକ୍ଷାର୍ଥୀମାନେ ଚାକିରି ପାଇଁ କାହା ସହ ଯୋଗଯୋଗ କରିଥିଲେ? କେତେ ଟଙ୍କା କାହାକୁ ଦେଇଥିଲେ? ଚାକିରି ମିଳିବ ବୋଲି କିଏ ପ୍ରତିଶ୍ରୁତି ଦେଇଥିଲା? ମାଷ୍ଟରମାଇଣ୍ଟ କୁହାଯାଉଥିବା ଅଭିଯୁକ୍ତକୁ ଏମାନେ କେମିତି ଜାଣିଲେ? ଏ ବିଷୟରେ ପରୀକ୍ଷାର୍ଥୀଙ୍କୁ ପଚାରିଥିଲେ ସିବିଆଇ ଅଧିକାରୀମାନେ । ମାସକ ଭିତରେ ସବୁ ପରୀକ୍ଷାର୍ଥୀଙ୍କୁ ଜେରା କରିବାକୁ ସିବିଆଇ ଲକ୍ଷ୍ୟ ରଖିଛି । ତା’ଛଡା ସେପଟେ ପ୍ରଶ୍ନ ତିଆରିଥିବା ପ୍ରଫେସର, ସିଲିକନ୍ ଟେକ୍ ଲାବ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ସୁରେଶ କୁମାର ନାୟକ, ବସ୍ ଡ୍ରାଇଭର ଓ ଟ୍ରାଭେଲ୍ ଏଜେନି୍ସଙ୍କୁ ସିବିଆଇ ସମନ କରିଛି । ଆସନ୍ତା ସପ୍ତାହରେ ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି । ଦୁଇ ଦିନ ମଧ୍ୟରେ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇ ଜେରା କରିସାରିଲାଣି ।