ଚଣ୍ଡିଗଡ,୩।୧୦: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଥିବା ନବଜୋତ ସିଂହ ସିଦ୍ଧୁ ରାଜ୍ୟର ନୂତନ ଚନ୍ନୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥର ମଧ୍ୟ ସିଦ୍ଧୁ ଡିଜିପି ଇଲବାଲପ୍ରୀତ ସହୋତା ଓ ଆଡଭୋକେଟ୍ ଜେନେରାଲ(ଏଜି) ଏପିଏସ ଦେଓଲଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସିଦ୍ଧୁ କହିଛନ୍ତି, ଉଭୟଙ୍କୁ ନିଯୁକ୍ତ କରି ପଞ୍ଜାବ ସରକାର ନିଶା ଏବଂ ବେଅବଦି କେସ୍ର ପୀଡିତାଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେଇଛନ୍ତି।
ଏହି ଦୁଇ ଜଣଙ୍କୁ ଯେ କୌଣସି ସ୍ଥିତିରେ ବାହାର କରିବାକୁ ପଡିବ। ନଚେତ୍ ପଞ୍ଜାବ ଲୋକଙ୍କୁ ମୁହଁ ଦେଖାଇ ପାରିବେ ନାହିଁ। ସିଦ୍ଧୁ ଲଗାତାର ଏହି ଦୁଇ ଅଫିସରଙ୍କୁ ହଟାଇବାକୁ ଦାବି କରି ଆସିଛନ୍ତି। ଉଭୟଙ୍କୁ ଡିଜିପି ଏବଂ ଏଜି ପଦରେ ନିଯୁକ୍ତି ଦେବା ପରେ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଥିଲେ।
ନବଜୋତ ସିଂହ ସିଦ୍ଧୁ ଏ ପର୍ଯ୍ୟନ୍ତ ସରକାରଙ୍କ ପ୍ରତି ଥିବା ଅସନ୍ତୁଷ୍ଟ ଛାଡି ପାରି ନାହାନ୍ତି। ସିଦ୍ଧୁଙ୍କୁ ମନାଇବା ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନୀ ୩ ଦିନ ପୂର୍ବେ ପଞ୍ଜାବ ଭବନରେ ବୈଠକ ମଧ୍ୟ କରିଥିଲେ। କୁହାଯାଉଥିଲା ଉକ୍ତ ବୈଠକରେ ସହମତିର ଫର୍ମୁଲା ବାହାରି ଯାଇଛି। ହେଲେ ଉକ୍ତ ଫର୍ମୁଲା ସିଦ୍ଧୁଙ୍କୁ ପସନ୍ଦ ଆସିନାହିଁ। କୁହାଯାଇଥିଲା ଯେ, ୟୁପିଏସସିର ୧୦ ବରିଷ୍ଠ ଅଫିସରଙ୍କ ନାମ କମିଟି ପାଇଁ ପଠାଯାଇଛି। ଏଥିରୁ ୩ ଜଣଙ୍କୁ ଚୟନ କରାଯାଇ ବେଅବଦି କେସର ତଦନ୍ତ ପାଇଁ କମିଟି ଗଠନ କରାଯିବ। ହେଲେ ସେଥିରେ ସହୋତାଙ୍କ ନାମ ରହିଥିଲା।
ସିଦ୍ଧୁ ଶନିବାର ମଧ୍ୟ ନିଜର କଠୋର ଆଭିମୁଖ୍ୟ ପୋଷଣ କରିଥିଲେ। ସେ କହିଛନ୍ତି ପଦ ରହୁ କି ନରହୁ, କିନ୍ତୁ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ରହିବେ। କୁହାଯାଉଛି ଏ ପର୍ଯ୍ୟନ୍ତ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କ ନିଷ୍ପତ୍ତି ଉପରେ ନିର୍ଣ୍ଣୟ ନେଇ ନାହାନ୍ତି। ଏହାକୁ ନେଇ ସିଦ୍ଧୁଙ୍କ ଅସନ୍ତୋଷ ଜାରି ରହିଛି। ହାଇକମାଣ୍ଡ ପକ୍ଷରୁ ଯଦି ଇସ୍ତଫା ନାମଞ୍ଜୁର ହୁଏ ତେବେ ସିଦ୍ଧୁ ଦଳର ସଭାପତି ପଦ ପୁଣି ଥରେ ସମ୍ଭାଳି ପାରନ୍ତି।