ଶିଶୁଭବନରେ ଏଣିକି ଅନ୍‌ଲାଇନ୍ ଆଉଟ୍‌ଡୋର ଟିକଟ

ଭୁବନେଶ୍ୱର, ୦୭/୦୮ : ଶିଶୁଭବନରେ ଆଉଟଡୋର ଟିକଟ ପାଇଁ ଆଉ ଧାଡି ଲଗାଇବାକୁ ପଡିବ ନାହିଁ। ଏଠାରେ ଅନଲାଇନ୍ ଜରିଆରେ ଟିକଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି I ଗତ ଦୁଇ ଦିନ ହେବ ପରୀକ୍ଷାମୂଳକ ଭାବେ ଅନଲାଇନ ଟିକଟ ବୁକିଂ ସାଇଟ ଖୋଲାଯାଇଥିଲା | ଏଥିରେ ୨୦ଜଣ ରୋଗୀ ଟିକଟ ବୁକିଂ କରିଥିଲେ | ପରେ ବୁଧବାର ଠାରୁ ଟିକଟ ବୁଙ୍କି ଅନଲାଇନ୍‌ରେ ଆରମ୍ଭ କରାଯାଇଛି ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର ସୂଚନା ଦେଇଛନ୍ତି। ଶିଶୁଭବନର ନିଜସ୍ବ ୱେବସାଇଟ୍‌ରେ ଟିକଟ ଉପଲବ୍ଧ କରାଯାଉଛି | ପ୍ରକାଶଥାଉକି, ପ୍ରତ୍ୟେକ ଦିନ ପ୍ରାୟ ୮୦୦ ରୋଗୀ ଆଉଟଡୋର ଟିକଟ ନିମନ୍ତେ ଲାଇନ ଲଗାନ୍ତି। ରାଜ୍ୟର ଏକମାତ୍ର ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ ଭାବେ ପରିଗଣିତ ଶିଶୁଭବନକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିଶୁରୋଗୀ ଆସିଥାନ୍ତି। ତେବେ ଧାଡିରେ ଛିଡା ହୋଇ ଆଉ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକଟ ନିମନ୍ତେ ହଇରାଣ ହେବାକୁ ପଡିବ ନାହିଁ ।