ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇନେଲା ଏସଆଇଟି କ୍ରାଇମବ୍ରାଞ୍ଚ

ନୟାଗଡ଼, ୧୯/୧୨ : ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ଆଜି ସରୋଜ ସେଠୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ ଏସଆଇଟି । ସରୋଜଙ୍କ ସହିତ ତାଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ମଧ୍ୟ ଏସଆଇଟି ଟିମ୍ ଉଠାଇନେଇଛି । ଏହାସହ ୩ ଜଣଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଆଜି ସକାଳୁ ସକାଳୁ ଏସ୍ଆଇଟିର ପ୍ରାୟ ୧୦ ଜଣ ସଦସ୍ୟ ପରୀର ଗ୍ରାମ ଯଦୁପୁରରେ ଅଚାନକ ପହଞ୍ଚି ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇଥିଲେ। ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା।

ସୂଚନାଯୋଗ୍ୟ, ଏସ୍ ଆଇ ଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ଅଭିଯୋଗ ମଧ୍ୟ ଆଣିଥିଲେ। ତାଙ୍କୁ ପରୀ ମାମଲାରେ ଫସାଇବାକୁ ବୋଥ୍ରା ପ୍ରବର୍ତ୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା କହିଥିଲେ। ତେଣେ ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଓଡ଼ିଶା ପୁଲିସ ସ୍ପଷ୍ଟୀକରଣ ରଖିଛି।