ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶୀତଳଷଷ୍ଠୀର ଶୁଭ ମୁହୂର୍ତ୍ତରେ ମା’ ପାର୍ବତୀଙ୍କ ପାଣିଗ୍ରହଣ କରିବେ । ଏହି ଦେବ ବିବାହର ପ୍ରାଥମିକ ପର୍ବ ମଙ୍ଗଳକୃତ୍ୟ ବିଧିମତେ ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଏହି ଅନନ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ଦଶ ଦିଗପାଳ, ତେତ୍ରିଶ କୋଟି ଦେବତାଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଲାଗୁ ହୋଇଥିବା ଫଳରେ ବିନା ଭକ୍ତରେ ଠାକୁରଙ୍କ ବିବାହ ପର୍ବ ସରିବ । ବିଗତ ବର୍ଷ ଭଳି ବିଶାଳ ଶୋଭାଯାତ୍ରା ହେବ ନାହିଁ । କେବଳ ୭ଜଣ ସେବାୟତଙ୍କ ଯୋଗଦାନରେ ବିଧି ସମ୍ପନ୍ନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନାନୁଯାୟୀ , ସୋମବାର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀର ପବିତ୍ର ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ, ଦ୍ୱିପ୍ରହର ଧୂପ ଓ ସନ୍ଧ୍ୟା ଧୂପ ବିଧି ମୁତାବକ ସମ୍ପନ୍ନ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ମହାପ୍ରଭୁ ମା’ ପାର୍ବତୀଙ୍କ ପାଣି ଗ୍ରହଣ ଲାଗି କେଦାରଗୌରୀ ମନ୍ଦିରରେ ବିଜେ କରିବେ । ସେଠାରେ ବିଜେ ମଣ୍ଡପରେ ଠାକୁରାଣୀଙ୍କ ସହିତ ବିବାହ ଅନୁଷ୍ଠିତ ହେବ । ଏହାପରେ ବୁଧବାର ସନ୍ଧ୍ୟାରେ ଦେବ ଦମ୍ପତି ବିମାନରେ ଗମ୍ଭୀରା ପ୍ରତ୍ୟାବର୍ତ୍ତନ କରିବେ ।