ଭୁବନେଶ୍ୱର,୧୭ /୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ଲାଟଫର୍ମରେ ସ୍ୱାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟଫୋନ୍ ଯୋଗାଇଦେବେ। ମୋବାଇଲ ଫୋନ ଦ୍ଵାରା ପିଲାଙ୍କ ଅନ୍ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ୱାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ। ସେ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାଓ୍ଵାର ହୋଇଥିବା ବେଳେ ୪ଜି ସୁବିଧା ସହ ଆଉ ତିନୋଟି ଟାଓ୍ଵାର ନିର୍ମାଣ କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୮ ଜୁଲାଇ ମାସରେ ସେ ସ୍ୱାଭିମାନ ଅଞ୍ଚଳକୁ ଯାଇ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିଥିଲେ। ସେତେବେଳେ ସେ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ ଏବଂ ମିଶନ ଶକ୍ତିର ମା’ମାନଙ୍କ ପାଇଁ ଏକ୍ସପୋଜର ଭିଜିଟ୍ଣ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।