ରାଜଧାନୀରେ ଅବୈଧ ରାସ୍ତା ଖୋଳିଲେ ଏଣିକି FIR

ଭୁବନେଶ୍ୱର,୨୭/୯: (ପ୍ରଦୀପ୍ତ କୁମାର ଦାସ) -ଏଣିକି ରାଜଧାନୀ ତଥା ଭୁବନେଶ୍ୱର ସ୍ମାର୍ଟ ସିଟିରେ ଅବୈଧ ଭାବେ ରାସ୍ତା ଖୋଳିଲେ ପୂର୍ତ୍ତ ବିଭାଗ ପକ୍ଷରୁ ଏଫଆଇଆର ଦିଆଯିବ ବୋଲି କୁହାଯାଇଛି l ସୋମବାର ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନିକଟରେ ଅଭିଯୋଗ ହୋଇଛି l ତେବେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଜଧାନୀର ରାସ୍ତା ଗୁଡିକର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାନଙ୍କୁ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏଠାରେ ଉଲ୍ଲେଖ ଯୋଗ୍ୟଯେ ସହରର ବିଭିନ୍ନ ଅଂଚଳରେ ଥିବା ସର୍ବସାଧାରଣଙ୍କ ରାସ୍ତାକୁ କେତେକ ସରକାରୀ ଓ ବେସରକାରୀ ସଂସ୍ଥା ମନଇଚ୍ଛା ଅତି ବେପରୁଆ ଭାବେ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି l ପୂର୍ତ୍ତ ବିଭାଗର ବିନା ଅନୁମତିରେ କେତେକ ରାସ୍ତାରେ ଏପରି ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ନାନା ସମସ୍ୟା ଉପୁଜୁଛି l

 

 

ବିଶେଷକରି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼,ପୂର୍ତ୍ତ ବିଭାଗ, ସ୍ବେରେଜବୋର୍ଡ,ୱାଟକୋ,ବିଏମସି,ଏନଏଚ, ବିଏସଏନଏଲ,ଭେଲ ଓ ଅନ୍ୟ କେତେକ ବିଭାଗ ପକ୍ଷରୁ କେତେକ ବେସରକାରୀ ଠିକା ସଂସ୍ଥା ଦ୍ୱାରା ବର୍ଷ ତମାମ ଏପରି ନିର୍ମାଣକାର୍ଯ୍ୟ ହେଉଥିବା ଦେଖାଯାଉଛି l ମାତ୍ର ସମ୍ପୃକ୍ତ ବିଭାଗ ଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଅଭାବରୁ ଏକ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି l ଏହାଫଳରେ ଅନେକ ସମୟରେ ଜନ ସାଧାରଣଙ୍କ ଯାତାୟାତ ଓ ଚଳ ପ୍ରଚଳ କ୍ଷେତ୍ରରେ ଅଣନିରାପଦ ପରିସ୍ଥିତି ଉପୁଜୁଛି l ଏପରିକି ଅନେକ ସ୍ଥାନରେ ଉପଯୁକ୍ତଭାବେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଅତି ବିପଦସଂକୁଳ ଅବସ୍ଥାରେ ନିର୍ମାଣ କାର୍ଯ୍ୟ କରାଯାଉଛି l ଅନେକ ସ୍ଥଳରେ ସମ୍ପୃକ୍ତ ଠିକାଦାର ମାନେ ନିର୍ମାଣଧୀନ କାର୍ଯ୍ୟକୁ ସଠିକ ଭାବେ ସମ୍ପୂର୍ଣ୍ଣ ନକରି ଅଧାପନ୍ତରିଆ ଅବସ୍ଥାରେ ଛାଡି ପଳାଉଥିବା ଦେଖାଯାଉଛି l ଯାହାଫଳ ରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହିତ ଜନସାଧାରଣଙ୍କ ଧନ ଓ ଜୀବନ ବିପନ୍ନ ହେଉଛି l ଅତୀତରେ ଏପରି ଅନେକ ଅଘଟଣ ଘଟିଥିବାର ନଜିର ରହିଥିଲେହେଁ ଏଥିପ୍ରତି ସମ୍ପୃକ୍ତ ବିଭାଗ ଓ ଠିକାଦାରୀ ସଂସ୍ଥା ଗୁଡିକ ଯତ୍ନବାନ ହେବା ପରିବର୍ତ୍ତେ ଅତି ବେପରୁଆ ଢଙ୍ଗରେ କାର୍ଯ୍ୟକରୁଛନ୍ତି l ତେବେ ଏଣିକି ଏଥିପାଇଁ ଦାୟୀ ସଂସ୍ଥା ବିରୋଧରେ ସ୍ଥାନୀୟ ପୋଲିସ ନିକଟରେ ଏଫଆଇଆର ଦିଆଯିବ ବୋଲି ମୁଖ୍ୟଯନ୍ତ୍ରୀ(ରାସ୍ତା) ଶ୍ରୀ ମିଶ୍ର କହିଛନ୍ତି l