ଡେରାଡୁନ୍, ୧୭/୮: ପୋଲିସ ଷ୍ଟେସନରେ ସାପ । ଆଲମିରା ଭିତରେ ସାପ ସାଲୁବାଲୁ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ଥାନାରେ । ଏଠାରେ ଜଣେ ପୋଲିସ କର୍ମୀ କୌଣସି ଏକ ଫାଇଲ ଖୋଜିବା ପାଇଁ ଆଲମିରା ଖୋଲିବା ବେଳେ ଭିତରୁ ବାହାରିଥିଲେ ୨୦ରୁ ଅଧିକ ନାଗ ସାପ ଛୁଆ ।
ହିମାଚଳ ପ୍ରଦେଶର କାଙ୍ଗଡା ସହର ନିକଟରେ ଥିବା ଗଗଲ୍ ପୋଲିସ ଷ୍ଟେସନରେ ଏପରି ଘଟଣା ସାମ୍ନାକୁ ଆସିଛି । ଥାନା ଭିତରେ ଥିବା ଆଲମିରାରେ ହିଁ ସାପ ନିଜ ଘର କରିଥିଲା । ଏପରିକି ଅଣ୍ଡା ମଧ୍ୟ ଦେଇଥିବା ନଜର ଆସିଛି ।
ସୂଚନାନୁସାରେ, ଏକ ମାମଲାକୁ ନେଇ ଥାନାର ଜଣେ ପୋଲିସ କନଷ୍ଟେବଳ ଆଲମିରାରେ ଫସିଥିବା ଫାଇଲ୍ ବାହାର କରୁଥିଲେ । ସେହି ସମୟରେ ଏକ ସାପ ଛୁଆ ଦେଖିବାକୁ ମିଳିଥିଲା । ଏହା ଦେଖି ସେ ଭୟରେ ବାହାରକୁ ଚାଲି ଆସିଥିଲା । ଏହାପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଥାନାରେ ପହଁଚିଥିଲେ ।
ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଥାନାରେ ପହଁଚି ଆଲମିରା ଖୋଲିବା ପରେ ଚକିତ ହୋଇ ପଡିଥିଲେ । ଆଲମିରା ଭିତରୁ ପ୍ରାୟ ୨୧ଟି ସାପ ଛୁଆ ବାହାରି ଥିଲା । ଏପରିକି ଏକ ନାଗୁଣୀ ମଧ୍ୟ ରହିଥିଲା । ଏହା ଦେଖିବା ପରେ ପୋଲିସ କର୍ମୀଙ୍କ ଠାରେ ଭୟର ବାତାବରଣ ଖେଳିଯାଇଛି । ତେବେ ସମସ୍ତ ସାପ ଛୁଆକୁ ଉଦ୍ଧାର କରାଯାଇ ଥାନାକୁ ପରିଷ୍କାର କରାଯାଇଥିଲା ।