ପୁରୀ: ଜୁନ୍ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯିବ । ସୀମିତ ସେବକଙ୍କୁ ଏହି ଯାତ୍ରାରେ ସାମିଲ କରାଯିବ । ଭୋର ୪ଟା ପୂର୍ବରୁ ସ୍ନାନବେଦିକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ କରାଯିବ । ପହଣ୍ଡି ବିଜେ ବେଳେ ଦାୟିତ୍ୱ ସମ୍ପନ୍ନ ପଦସ୍ଥ ଅଫିସର ଓ ଜେଟିପି ନିୟୋଜିତ ହେବେ । ସହରରେ ସ୍ନାନଯାତ୍ରା ବେଳେ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ସେବାୟତଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ନ ଅଟକାଉ । ଏହି ସବୁ ପ୍ରସଙ୍ଗ ଉପରେ ସ୍ନାନଯାତ୍ରା ସହ ଯୋଡି ରହିଥିବା ଶ୍ରୀମନ୍ଦିର ଦଇତାପତି ସେବକଙ୍କ ସହ ଶନିବାର ଏସ୍ପି କେ ବିଶାଳ ସିଂହ ସ୍ନାନଯାତ୍ରା ପୂର୍ବରୁ ଆଲୋଚନା କରିଥିଲେ ।
ଆଜିି ବୈଠକରେ ସୂଚନା ଦିଆଯାଇଛି ପୂର୍ବବର୍ଷ ଭଳି କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ମହାପ୍ରଭୁଙ୍କ ସ୍ନାନନୀତି କରାଯିବ । ଆଲୋଚନାରେ ସାମିଲ ନିଯୋଗ କର୍ମକର୍ତ୍ତାଙ୍କ ମତାମତକୁ ପ୍ରଶାସନ ରେକର୍ଡ କରିଛି । ଗତବର୍ଷ କିଏ କି’ଭଳି, କେଉଁ ନୀତି ପାଳନ କରିଥିଲେ, କେତେ ସଂଖ୍ୟକ ସେବକ ସ୍ନାନନୀତିରେ ସାମିଲ ହୋଇଥିଲେ ଆଦି ତଥ୍ୟକୁ ପ୍ରଶାସନ ସଂଗ୍ରହ କରିଛି ।