୩୦ ବର୍ଷ ପରେ ସାଉଦି ଆରବରେ ତୁଷାରପାତ

ନୂଆଦିଲ୍ଲୀ, ୨୩/୧୨ : ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ସାଉଦି ଆରବରେ ତୁଷାରପାତ ପଡିଥିବା ଜଣାପଡିଛି। ଅତ୍ୟଧିକ ଗରମ ଏବଂ ମରୁଭୂମି ପାଇଁ ପରିଚିତ ଲାଭ କରିଥିବା ସାଉଦି ଆରବରେ ତୁଷାରପାତ ଘଟିବା ନିଶ୍ଚିତଭାବେ ଏକ ବିରଳ ଘଟଣା। ସାଉଦି ଆରବର ଉତ୍ତରାଞ୍ଚଳରେ ଅବସ୍ଥିତ ତୁୱାଇକ୍‌ଠାରୁ ଆରମ୍ଭ କରି ରାଜଧାନୀ ରିୟାଦ୍‌ ପର୍ଯ୍ୟନ୍ତ ଏହି ତୁଷାରପାତ ଲୋକଙ୍କୁ ଆଶ୍ବର୍ଯ୍ୟାନ୍ବିତ କରିଛି। ବରଫାବୃତ୍ତ ଅଞ୍ଚଳର ଫଟୋ ଓ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଲୋକେ ତୁଷାରପାତର ମଜା ଉଠାଉଥିବା ଲକ୍ଷ୍ୟ କରାଯାଇଛି। ମରୁଭୂମିର ଜାହାଜ କୁହାଯାଉଥିବା ଓଟଗୁଡିକ ବରଫାବୃତ୍ତ ରାସ୍ତାରେ ଚଳପ୍ରଚଳ କରୁଥିବା ଦୃଶ୍ୟ ବେଶ ଉପଭୋଗ୍ୟ ହେଉଛି। କେତେକ ସ୍ଥାନରେ ପର୍ଯ୍ୟଟକମାନେ ବରଫ ଉପରେ ସ୍କିଂ କରୁଥିବାବେଳେ ବରଫରେ ଇଗ୍‌ଲୁ ନିର୍ମାଣ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମଗୁଡିକ ଏଭଳି ଅଦିନିଆ ତୁଷାରପାତକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି।