ବିଧାନସଭା ସାମ୍ନାରେ ମାଆକୁ ମାରିବାକୁ ଉଦ୍ୟମ କଲା ପୁଅ, ବେକରେ ଲଗାଇଲା ଛୁରୀ

ଭୁବନେଶ୍ୱର, ୧/୧୦ : ବିଧାନସଭା ସାମ୍ନାରେ ଜଣେ ଯୁବକର ଉନ୍ମତ୍ତକାଣ୍ଡ । ବିଧାନସଭା ଚାଲିଥିବା ବେଳେ ନିଜ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଛନ୍ତି ଜଣେ ଯୁବକ। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି ଜଣାପଡ଼ିଛି।

ମହିଳାଙ୍କୁ ପଚରାଉଚୁରା କରିବାରୁ ଜଣାପଡିଛି ଯେ, ପୁଅ ମାନସିକ ରୋଗରେ ପୀଡିତ ଥିବାରୁ ସେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ପୁଅ ହଠାତ ବିଧାନସଭା ଆଗକୁ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ । ଯେହେତୁ ବିଧାନସଭା ଅଧିବେଶନ ଜାରି ରହିଛି, ବିଧାନସଭା ଆଗରେ ସୁରକ୍ଷାକର୍ମୀ ନିୟୋଜିତ ଥିଲେ । ଯୁବକ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦୌଡି ଆସିଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ ।

ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ଏହି କାଣ୍ଡ ଘଟାଇବା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।