ଅନ୍ଧବିଶ୍ୱାସର କରୁଣ ପରିସ୍ଥିତି : ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା  ପୁଅ

ଭୁବନେଶ୍ୱର, ୨୯/୦୧ :  ଡାହାଣୀ ସନ୍ଦେହରେ ନିଜ ମାଆକୁ ହତ୍ୟା କରିଛି ଜହ୍ଲାଦ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ଅଧୀନ କଲରାଫୁଲିଆ ଗ୍ରାମରେ l ମୃତ ମହିଳା ହେଲେ ଚୈତନ୍ୟ ସିଂଙ୍କ ସ୍ତ୍ରୀ ରାଇମଣୀ ସିଂ (୬୦) । ଅଭିଯୁକ୍ତ ପୁଅ ତପନ ସିଂ(୩୩)କୁ ବେତନଟୀ ପୋଲିସ ଗିରଫ କରିଛି ।  କିଛି ଦିନ ତଳେ ରାଇମଣୀଙ୍କ ବୋହୂ ଗୁରୁବାରୀଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ହୋଇଥିଲା । କୌଣସି କାରଣରୁ ଗୁରୁବାରୀଙ୍କ ଗର୍ଭପାତ ହୋଇଥିଲା । ଗୁରୁବାରୀ ସେବେଠାରୁ ଯାଇ ନିଜ ବାପାଙ୍କ ଘରେ ରହୁଥିଲେ । ଶାଶୁ ରାଇମଣୀ ଏବଂ ସ୍ୱାମୀ ତପନ  ଗାଁରେ ଥିଲେ । ଏହାରି ମଧ୍ୟରେ ତପନ ମନରେ ମାଆ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା । ମାଆ ଗୋଟିଏ ତାହାଣୀ ବୋଲି ନେଇଥିଲା ତପନ, ଯିଏ ତାର ପିଲାକୁ ପେଟରେ ମାରି ଦେଇଛି । ଆଜି ସକାଳେ ମାଆକୁ ଏକ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ରାଇମଣୀଙ୍କ ପ୍ରାଣ ବାହୁ ଉଡ଼ି ଯାଇଥିଲା ।  ଏ ନେଇ ପଡ଼ୋଶୀ ବେତନଟୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବଡ଼ ଜମବଣୀ ଫାଣ୍ଡି ଅଧିକାରୀ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି । ଏହା ସହିତ ତପନକୁ ଗିରଫ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ ।