ନୂଆଦିଲ୍ଲୀ,୧୩ /୮: କେନ୍ଦ୍ର ସରକାରଙ୍କ ପରିବେଶ ପ୍ରଭାବ ଆକଳନ (ଇଆଇଏ) ୨୦୨୦ ଡ଼୍ରାଫ୍ଟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ପ୍ରଥମରୁୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏହାକୁ କଟୁ ସମାଲୋଚନା କରିଆସୁଛନ୍ତି । ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ସତର୍କ କରାଇ ଦେଇଛନ୍ତି । ଏହା ସହ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି ।
ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ପରିବେଶ ପ୍ରଭାବ ଆକଳନ ୨୦୨୦ ଡ଼୍ରାଫ୍ଟକୁ ନେଇ ବିରୋଧ ଆରମ୍ଭ କରିଛନ୍ତି । ପରିବେଶବିତମାନେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ରାହୁଳ ଗାନ୍ଧୀ ପୂର୍ବରୁ ଏହି ଡ଼୍ରାଫ୍ଟ ଦେଶହିତ ଅପେକ୍ଷା ବିଜେପି ପାଇଁ ବେଶୀ ହିତକର ବୋଲି କହିଛନ୍ତି । ଏପରିକି ଏହାକୁ ସେ ‘ଲୁଟ୍ ଅଫ୍ ନେସନ’ ବୋଲି ମଧ୍ୟ ଅଭିହିତ କରିଛନ୍ତି । ତଥାପି ସମସ୍ତ ବିରୋଧ ସତ୍ବେ ସରକାର ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି ।
ଏପରି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ପ୍ରକୃତିକୁ ରକ୍ଷା କରିବେ ତେବେ ପ୍ରକୃତି ଆପଣଙ୍କୁ ସୁରକ୍ଷା ଦେବ । ବର୍ତମାନ ସମୟରେ ଯେତେବେଳେ ସାରା ଦୁନିଆ ମହାମାରୀକୁ ସମ୍ମୁଖୀନ ହୋଇଛି, ସେତେବେଳେ ଏହା ମାନବ ଜାତି ପ୍ରତି ଏକ ନୂଆ ଆହ୍ବାନ ସୃଷ୍ଟି ହୋଇଛି । ଏହି ସମୟରେ ଆମର ଦାୟିତ୍ଵ ହେଉଛି ଆମେ ପରିବେଶକୁ ରକ୍ଷା କରିବା । ମାତ୍ର ଆମ ଦେଶର ବିକାଶ ଦୌଡ଼ରେ ପରିବେଶକୁ ବଳିଦେବା ଉଚିତ୍ ନୁହେଁ ।
ସରକାର ଦେଶରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିବା ଏବଂ ପରିବେଶ ଉପରେ ଏହାର କି ପ୍ରଭାବ ପଡ଼ିବ ସେଥିପାଇଁ ପରାମର୍ଶ ଦେବା ନିମନ୍ତେ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଡ଼୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଇଆଇଏ ସର୍ତ ପୂରଣ କରୁଥିବା ପ୍ରକଳ୍ପଗୁଡ଼ିକୁ ପରିବେଶ ମନ୍ତ୍ରଣାଳୟ ଅନୁମତି ଦେବାକୁ ବ୍ୟବସ୍ଥା ହୋଇଛି । ମାତ୍ର ସରକାରଙ୍କ ପକ୍ଷରୁ ଏହି ପଦ୍ଧତିକୁ ବିରୋଧୀ ସମାଲୋଚନା କରିଛନ୍ତି ଏବଂ ସୋନିଆ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି ।