ହସ୍ପିଟାଲରେ ସୋନିଆ ଗାନ୍ଧୀ, ସୋଫାରେ ରାତି ବିତାଇଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତ ଦୁଇ ଦିନ ହେବ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପେଟ ଓ ମୂତ୍ର ସଂକ୍ରମଣ ଯୋଗୁଁ ମଙ୍ଗଳବାର ରାତି ୧୦ଟା ୨୨ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡାକ୍ତରଖାନାରେ ତାଙ୍କ ମା’ଙ୍କ ଚିକିତ୍ସା ତଦାରଖ କରୁଛନ୍ତି। କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରାହୁଲ କହିଛନ୍ତି ଯେ, ସେ ତାଙ୍କ ମା’ଙ୍କ ଡାକ୍ତରଖାନା କୋଠରିରେ ଏକ ଛୋଟ ସୋଫାରେ ଶୋଇଥିଲେ। ସେ ମଧ୍ୟ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲେ। ତେବେ କେରଳର ଜଣେ ନର୍ସ ତାଙ୍କ ମା’ଙ୍କର ବହୁତ ଭଲ ଯତ୍ନ ନେଉଥିଲେ, ଯାହା ତାଙ୍କୁ ଆଶ୍ୱସ୍ତି ଦେଇଥିଲା।

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ବୁଧବାର ସଂସଦ ଭବନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇ ନ ଥିଲେ। ତାଙ୍କର ନିର୍ଦ୍ଧାରିତ କେରଳ ଗସ୍ତ ମଧ୍ୟ ବାତିଲ ହୋଇଥିଲା। ତାଙ୍କ ସ୍ଥାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଥିବା ବେଳେ ରାହୁଲ ଏହାକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ।

ଭିଡ଼ିଓ ବାର୍ତ୍ତାରେ ରାହୁଲ କହିଛନ୍ତି, ମାଆଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ଥିଲି। କେବଳ ଗୋଟିଏ ଜିନିଷ ମୋତେ ଆଶ୍ବସ୍ତି ଦେଇଥିଲା। କେରଳର ଜଣେ ନର୍ସ ପ୍ରତି ଘଣ୍ଟାରେ ମୋ ମା’ଙ୍କୁ ଯାଞ୍ଚ କରିବାକୁ ଆସୁଥିଲେ। ମୁଁ ଚିନ୍ତା କଲି, କେରଳର କେତେ ପୁଅ-ଝିଅ, ଭାଇ-ଭଉଣୀଙ୍କୁ କେରଳର ନର୍ସମାନେ ସେମାନଙ୍କର ସବୁଠାରୁ କଠିନ ସମୟରେ ସାନ୍ତ୍ୱନା ଦେଇଛନ୍ତି। ସକାଳୁ ସକାଳୁ ମୁଁ ତାଙ୍କୁ ପଚାରିଲି, ଆପଣ ରାତିରେ ଶୋଇଥାନ୍ତି ନା ରାତିସାରା କାମ କରନ୍ତି? ସେ କହିଲେ, ମୁଁ ରାତିସାରା କାମ କରେ। ତେଣୁ ଯେତେବେଳେ ସମଗ୍ର ବିଶ୍ୱ ଶୋଇଛି, ସେତେବେଳେ କେରଳର ମହିଳାମାନେ, କେବଳ କେରଳରେ ନୁହେଁ, ଦିଲ୍ଲୀରେ, ସାରା ଦେଶରେ ଓ ବିଶ୍ୱରେ ଲୋକଙ୍କୁ ସାନ୍ତ୍ୱନା ଦେଉଛନ୍ତି। ମୋ ପାଇଁ ଏହା ହେଉଛି କେରଳର ପରିଚୟ।