ନୂଆଦିଲ୍ଲୀ,୧୯/୪: କଂଗ୍ରେସରେ ସାମିଲ୍ ହେବେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ଦଳରେ ତାଙ୍କର ଭୂମିକା କଣ ରହିବ ତା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ପ୍ରଶାନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜାରି କଳ୍ପନା ଜଳ୍ପନା ମଧ୍ୟରେ କଂଗ୍ରେସ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର ସକାଳୁ ପ୍ରଶାନ୍ତ କିଶୋରଙ୍କ ସହିତ ସୋନିଆ ଗାନ୍ଧୀଙ୍କ ସମେତ ପାର୍ଟିର ଅନେକ ବରିଷ୍ଠ ନେତାଙ୍କ ବୈଠକ ହୋଇଛି। ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ମଧ୍ୟ ବୈଠକ ବସିଥିଲା।
ଗତକାଲିର ବୈଠକରେ ସୋନିଆଙ୍କ ବ୍ୟତୀତ ପ୍ରି୍ୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ଏକେ ଆଣ୍ଟୋନି, ଦିଗବିଜୟ ସିଂହ, କମଲନାଥ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ସବୁ ନେତା ଆଜି ମଧ୍ୟ ୧୦ ଜନପଥରେ ଜୁଟିଥିଲେ। ଗତ ଚାରି ଦିନରେ ପିକେଙ୍କ ସହିତ କଂଗ୍ରେସ ନେତାଙ୍କ ଏହା ହେଉଛି ତୃତୀୟ ବୈଠକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୪ରେ ବିଜୟ ମିଳିବା ପରଠୁ ଚର୍ଚ୍ଚାରେ ଥିବା ପ୍ରଶାନ୍ତ କିଶୋର ଅଦ୍ୟାବଧି ମମତା ବାନାର୍ଜୀ, ନୀତିଶ କୁମାର, କ୍ୟାପଟେନ୍ ଅମରିନ୍ଦର ସିଂହ ସମେତ ଅନେକ ନେତାଙ୍କ ସହିତ କାମ କରି ସାରିଛନ୍ତି। ଶନିବାର ସେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କ ସାମ୍ନାରେ ନିଜ ଯୋଜନାର ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରେ ସେ ଜଣାଇଥିଲେ ଯେ, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ସେ କେମିତି ରଣନୀତି ପ୍ରସ୍ତୁତ କରିବେ। ଏହା ପରଠୁ ହିଁ କଂଗ୍ରେସ ଏକ ଓ୍ଵାର ଗ୍ରୁପ ଗଠନ କରିଛି, ଯିଏ ଲଗାତାର ପିକେଙ୍କ ସହ ମାନସ ମନ୍ଥନ ଚଳାଇଛନ୍ତି। ଏହି ପ୍ଲାନକୁ ମେ ୧୫-୧୬ରେ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ଉପସ୍ଥାପନ କରାଯିବ।