ନୂଆଦିଲ୍ଲୀ: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଦଳର ସାଧାରଣ ସଂପାଦକ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ସୋନିଆ ଦଳର ନେତାମାନଙ୍କୁ ଟିକାକରଣ ବୃଦ୍ଧି ମନ୍ତ୍ର ଦେଇଛନ୍ତି। ଦେଶରେ ଦୈନିକ ଟିକାକରଣ ସଂଖ୍ୟା ୩ ଗୁଣା କରିବା ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସେ କହିଛନ୍ତି। ୨୦୨୧ ଶେଷ ସୁଦ୍ଧା ଯେଭଳି ଦେଶର ୭୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇ ସାରିଥିବ ତାହାକୁ ନିଶ୍ଚିତ କରିବା ଲାଗି ସୋନିଆ କହିଛନ୍ତି।
ଦେଶର ସବୁ ଲୋକଙ୍କୁ ଯେଭଳି ଟିକା ଦିଆଯିବ ସେ କ୍ଷେତ୍ରରେ ଦଳ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ। ଟିକା ନେବା ନେଇ ଲୋକଙ୍କ ମନରେ ଥିବା ଦ୍ବନ୍ଦ୍ବ ଦୂର ଲାଗି ସେ କହିଛନ୍ତି। ତେବେ ଟିକାର ଉପଲବ୍ଧତା ଉପରେ ସବୁକିଛି ନିର୍ଭର କରେ। ଆମ ଦଳର ଦାବି ପରେ କେନ୍ଦ୍ର ସରକାର ନିଜ ମୁଣ୍ଡକୁ ଟିକାକରଣ ଦାୟିତ୍ବ ନେଇଛନ୍ତି। ତେଣୁ ଲୋକଙ୍କ ପାଇଁ ଟିକା ଯେଭଳି ଉପଲବ୍ଧ ହୁଏ ସେଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ କାର୍ଯ୍ୟ କରିବାକୁ ସୋନିଆ ପରାମର୍ଶ ଦେଇଛନ୍ତି। ସେହିଭଳି କମ୍ରୁ କମ୍ ଟିକା ଯେଭଳି ନଷ୍ଟ ହେବ ତାହାକୁ ଦେଖିବା ଲାଗି ସେ କହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସୋନିଆ କହିଚନ୍ତି। ଏଥିସହିତ ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ ସମେତ ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଉପରେ ଆଲୋଚନା ହୋଇଥିବା କୁହାଯାଉଛି।