ନୂଆଦିଲ୍ଲୀ, ୨୮/୦୮: ନେପାଳର ରାସୁୱା ଅଞ୍ଚଳରେ ଭୋଟେକୋଶି ନଦୀର ପ୍ରବାହିତ ବନ୍ୟାଜଳ ଭୟଙ୍କର କ୍ଷୟକ୍ଷତି ଘଟାଇଛି । ଏହି ପ୍ରଳୟଙ୍କରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ଶହ ଶହ ଲୋକ ନିଖୋଜ ଅଛନ୍ତି । ଏଥିସହ ୧୫ଟି ହେଲିକପ୍ଟର ସାହାଯ୍ୟରେ ନେପାଳ ସେ ସେନା ଦ୍ବାରା ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି ଏବଂ ୨୫୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଏହାରି ମଧ୍ୟରେ ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ନେପାଳର ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ପୁଣି ଥରେ ସୋନୁ ସୁଦ ପ୍ରଭାବିତ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ଭାବେ ଉଭା ହୋଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ ସେୟାର କରି ପୀଡିତମାନଙ୍କୁ ଉତ୍ସାହିତ କରିଛନ୍ତି । ଯେଉଁଥିରେ ସୋନୁ ସୁଦ ଲେଖିଛନ୍ତି ଯେ, ନେପାଳ, ଏହି କଷ୍ଟକର ସମୟରେ ତୁମେ ଏକା ନୁହଁ । ଆମେ ଶୀଘ୍ର ତୁମ ପାଖରେ ଖାଦ୍ୟ, ଆଶ୍ରୟ ଏବଂ ତୁମକୁ ପୁନଃନିର୍ମାଣରେ ସାହାଯ୍ୟ କରିବାର ଆଶା ନେଇ ପହଞ୍ଚିବୁ । ନେପାଳୀ ଜନ୍ମିତ ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ନେପାଳ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।