ନେପାଳରେ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ

ନୂଆଦିଲ୍ଲୀ, ୦୨/୦୯ : ନେପାଳରେ ବନ୍ୟା ବିଭୀଷିକାରେ ବିପନ୍ନଙ୍କ ସହାୟତା ପାଇଁ ତ୍ରିଶୁଳୀ ବଜାରରେ ପହଞ୍ଚିଲେ ସୋନୁ ସୁଦ । ବାଣ୍ଟିଲେ ରିଲିଫ୍ ସାମଗ୍ରୀ । ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଚରମ ସଙ୍କଟ ମଧ୍ୟରେ ଥିବା ନେପାଳବାସୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ । ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ପାଇଁ କାଠମାଣ୍ଡୁରେ ପହଞ୍ଚିବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ‘ତ୍ରିଶୁଳୀ ବଜାର’ ପରିଦର୍ଶନ କରିଛନ୍ତି ସୋନୁ ସୁଦ୍ । ​ସେଠାରେ ସେ ବନ୍ୟା ବିପନ୍ନ ପରିବାରଗୁଡ଼ିକ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅବସ୍ଥା ବୁଝିବା ସହିତ ଖାଦ୍ୟ ସାମଗ୍ରୀ, କମ୍ବଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି ।

ଆଗାମୀ ମାସଗୁଡ଼ିକରେ ମଧ୍ୟ ଜାରି ରହିବ ସହାୟତା । ସୋନୁ ସୁଦ୍ କହିଛନ୍ତି, ବିପଦ ସମୟରେ ଅସହାୟ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କ ଜୀବନକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ​ଦୁର୍ଦ୍ଦିନରେ ପଡ଼ୋଶୀ ରାଷ୍ଟ୍ର ନେପାଳକୁ ସହାୟତା ଯୋଗାଇବାରେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ୱରିତ ପଦକ୍ଷେପକୁ ସୋନୁ ସୁଦ ପ୍ରଶଂସା କରିଛନ୍ତି । ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଜୀବନହାନି ଘଟିବା ସହ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ନୁୱାକୋଟ୍ ଏବଂ ରସୁୱା ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି ।