ନୂଆଦିଲ୍ଲୀ, ୨୩/୦୨ : ସୁପର-୮ର ପ୍ରଥମ ମ୍ୟାଚରେ ଅତି ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଟିମ୍ । ୧୮.୫ ଓଭରରେ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏହା ସହ ଦକ୍ଷିଣ ଆଫ୍ରିକା ୭୬ ରନର ବିଶାଳ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟିଂ ପରେ ଘାତକ ବୋଲିଂ ଭାରତୀୟ ଟିମର ଲଗାତାର ବିଜୟରେ ବ୍ରେକ୍ ଲଗାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୮୭ ରନ୍ କରିଥିଲା । ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଗତ ଦୁଇ ମାସ ମଧ୍ୟରେ ଏହା ଦୁଇ ଦଳ ମଧ୍ୟରେ ଷଷ୍ଠ ମୁକାବିଲା ହେଉଛି। କିନ୍ତୁ ଏହି ବିଶ୍ୱକପରେ ପ୍ରଥମ ଥର ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୪୫ ଓ ଟ୍ରିଷ୍ଟାନ ଷ୍ଟବ୍ସ ୪୪ ରନ୍ କରିଥିଲେ।ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି ଓ ଶିବମ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।