ବ୍ରାଜିଲ : ଦକ୍ଷିଣ ବ୍ରାଜିଲରେ ନିର୍ମାଣଧୀନ ଜୀଶୁଙ୍କ ବିଶାଳ ପ୍ରତିମାରେ ବିସ୍ତାରିତ ବାହୁ ସଂଯୁକ୍ତ ହୋଇଛି। ଚଳିତ ସପ୍ତାହରେ ଏହି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ବେଳେ ନିର୍ମାଣ ସରିଲେ ଏହା ରିଓ ଡି ଜେନରିଓର ପାହାଡ ଉପରେ ନିର୍ମିତ ବିଶାଳ ‘କ୍ରିଷ୍ଟ ଦି ରିଡମର’ ଠାରୁ ମଧ୍ୟ ବେଶ ବଡ଼ ହେବ ବୋଲି କୁହାଯାଉଛି। ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ଏନକାଣ୍ଟାଡା ସହରରେ ଏହି ମୂର୍ତ୍ତିର ନିର୍ମାଣ ୨୦୧୯ରେ ଆରମ୍ଭ ହୋଇଥିଲା।
ଫ୍ରେଣ୍ଡସ୍ ଅଫ କ୍ରିଷ୍ଟ ଆସୋସିଏସନ ପକ୍ଷରୁ ଚଳାଯାଇଥିବା ନିର୍ମାଣ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପନ୍ନ ହେବ ବୋଲି ଆକଳନ କରାଯାଉଛି। ଏହାକୁ ‘କ୍ରିଷ୍ଟ ଦି ପ୍ରୋଟେକ୍ଟର’ ନାମରେ ନାମିତ କରାଯିବ। ଏହି ମୂର୍ତ୍ତିର ଉଚ୍ଚତା ୪୩ ମିଟର (୧୪୦ଫୁଟ) ହୋଇଥିବା ବେଳେ ବିଶ୍ୱରେ ଏହା ଜୀଶୁ ମସିହାଙ୍କ ସର୍ବ ବୃହତ୍ତ ବିସ୍ତାରିତ ବାହୁଯୁକ୍ତ ମୂର୍ତ୍ତିରେ ପରିଣତ ହେବ। ଏହି ଏହି ମୂର୍ତ୍ତିର ବିସ୍ତାରିତ ଦୁଇ ବାହୁର ଚୌଡା ୩୬ ମିଟର ରହିଛି।
ଏଠାରେ ଏହି ପ୍ରକଳ୍ପ ସ୍ଥାପନାର ଉଦ୍ଦେଶ୍ୟ ଲୋକଙ୍କ ମନରେ ଆଧ୍ୟାତ୍ମିକ ଆସ୍ଥା ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳ ପ୍ରତି ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ବୋଲି ଫ୍ରେଣ୍ଡସ୍ ଅଫ କ୍ରିଷ୍ଟ କାର୍ଯ୍ୟକର୍ତ୍ତା କହିଛନ୍ତି। ବାସ୍ତୁକାର ଜେନେସିଓ ଏବଂ ତାଙ୍କ ପୁଅ ମାର୍କୁସ ମୌରାଙ୍କ ଦେଖରେଖରେ ଏହି ବିଶାଳ ପ୍ରତିମାର ନିର୍ମାଣ ହେଉଛି। ଏହାର ନିର୍ମାଣ ବାବଦେ ୨ ନିୟୁତ ରିୟଲ (୩ଲକ୍ଷ ୫୦ ହଜାର ଡଲାର) ଖର୍ଚ୍ଚ ହେବ। ତେବେ ଲୋକଙ୍କ ଦାନରେ ଏହି କାର୍ଯ୍ୟ ଏଠାରେ ଆଗେଇ ଚାଲିଛି।