ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ୮ ଜଣ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

ଭୁବନେଶ୍ୱର, ୦୫/୦୩ : ବହୁ ଚର୍ଚ୍ଚିତ ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଉଚ୍ଚ ଅଦାଲତ ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି । ଗିରଫ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତି, ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ, ଜୟନ୍ତ କୁମାର ରାଉତ ଓ ପ୍ରଶାନ୍ତ କୁମାର ଖମାରୀଙ୍କ ଜାମିନ ମଞ୍ଜୁର ହୋଇଛି । ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍‌ଫିଡେନ୍ସିଆଲ କାମରେ ନିଯୁକ୍ତ ହୋଇପାରିବେ ନାହିଁ । ଏହା ସହିତ ତଦନ୍ତରେ ସହଯୋଗ କରିବା ଏବଂ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତମାନେ ବିଦେଶ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ମାତ୍ର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୧୯ ତାରିଖରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯାହା ଫଳରେ ପରୀକ୍ଷା ବାତିଲ ହେଲା । ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଗତବର୍ଷ ଅଗଷ୍ଟ ୩ ତାରିଖରେ ତତ୍କାଳୀନ ବୋର୍ଡର ଉପ ସଭାପତି ନିହାର ମହାନ୍ତି ଗିରଫ କରାଯାଇଥିଲା । ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୁନର୍ବାର ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା କରାଯାଇଥିଲା ।