ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର,୨୫/୩ : ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି। ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ। ଏଥିସହ ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥଲେ।

ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍। ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟସେବାରେ ଓଡିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି। ରାଜ୍ୟର ପ୍ରତି ଲୋକକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦିଆଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। ଏହା ଜରିଆରେ ରାଜ୍ୟରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି ।

୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ, ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି, କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି। କୋଭିଡ ସମୟରେ ୨୧ କୋଟି ଶ୍ରମଦିବସ ଜରିଆରେ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଯାଏ ଋଣର ବ୍ୟବସ୍ଥା କରାଯାଇଛି।

ବିଗତ ପାଞ୍ଚବର୍ଷ ଭିତରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ମୋ ସରକାର ଓ ସୁରକ୍ଷା ବାହିନୀଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ରେ ପହଞ୍ଚିଛି। ପୁଲିସ ପଦକ୍ଷେପ ଯୋଗୁଁ ପାଖାପାଖୁ ୫୮ ଜଣ ମାଓବାଦୀ ପ୍ରଭାବହୀନ ହୋଇଛନ୍ତି, ୧୯୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେହି ସମୟରେ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରିର ‘ସ୍ଵାଭିମାନ ଅଞ୍ଚଳ’ର ସଂପୂର୍ଣ୍ଣ ପରିବର୍ତ୍ତିତ ବାତାବରଣ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଶମନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଣାମ ଅଟେ।

ମୋ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ।

୨୦୧୪-୧୫ ମସିହା ପରଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ଵଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି। ହିତାଧିକାରୀମାନଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି। ୭ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ୪ ମାସ ଏବଂ ୬ ମାସ ଅବଧି ମଧ୍ୟରେ ନିଜ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ପ୍ରୋତ୍ସାହନ ବାବଦରେ ୧,୨୮୩ କୋଟି ଟଙ୍କା ସଂପୃକ୍ତ ହିତାଧିକାରୀ ପରିବାରକୁ ପ୍ରଦାନ କରାଯାଇଛି। ପୁନଶ୍ଚ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୨ ଲକ୍ଷ ୨୫ ହଜାର ଯୋଗ୍ୟ ପରିବାର ଚିହ୍ନଟ କରାଯାଇଛି।

ସହାରାଞ୍ଚଳରେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଜୀବନରେ ସବୁଦିନ ପାଇଁ ଖୁସି ଆଣିଦେବା ନିମନ୍ତେ ମୋ ସରକାରଙ୍କ ଯୁଗାନ୍ତକାରୀ ‘ଜାଗା ମିଶନ’ ଏକ ଆଦର୍ଶ ଜନନୀତି । ସହରୀ ଚଳଣିର ଅପରିହାର୍ଯ୍ୟ ଅଙ୍ଗ ଭାବେ ଅନୌପଚାରିକ ବସତି ଓ ବସ୍ତି ବାସିନ୍ଦାଙ୍କୁ ଏହି ନୀତି ସ୍ୱୀକୃତି ପ୍ରଦାନ ପୂର୍ବକ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଥାଏ । ଏହି ସାମଗ୍ରିକ ଉପକ୍ରମ ‘ଏସିଆ ପାସିଫିକ୍ ହାଉସିଂ ଫୋରମ୍ ଇନୋଭେସନ ପୁରସ୍କାର-୨୦୨୧’ର ବିଜେତା ହୋଇଛି । ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟର ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ପରିଷଦର ୨୯୭୪ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନୀ’ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବସ୍ତି ଉନ୍ନତିକରଣ ଏବଂ ଅଣ ତାଲିକାକରଣ ଉପକ୍ରମ ମାଧ୍ୟମରେ ୧ ଲକ୍ଷ ୭୦ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ରାଜ୍ୟର ୮ଟି ସହର ବସ୍ତିଶୂନ୍ୟ ସହରର ମାନ୍ୟତା ପାଇପାରିଛି ।

ମୋ ସରକାର କୋଭିଚ୍‌-୧୯ ମହାମାରୀ ଯୋଗୁଁ ୨୦୨୦ ଅପ୍ରେଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ୍ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଗ୍ୟ ସନ୍ତାନସନ୍ତତି ଏବଂ ସେମାନଙ୍କ ଯନ୍ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି ।