ଭୁବନେଶ୍ୱର, ୨୮/୦୭ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରାବଣ ଶୁକ୍ଳ ଚତୁର୍ଥୀରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଦର୍ଶନ ବନ୍ଦ ରହିବ । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହା ଏକ ଗୁପ୍ତ ନୀତି ସେଥିପାଇଁ ଭକ୍ତମାନେ ଏହି ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି । ଏହି ନୀତି ପାଳନ ହେବାର ପୂର୍ବଦିନରୁ ଦେଉଳକରଣ ଧଳାକନା ସଫା କରି ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ଏଥିସହ ଶୁଦ୍ଧସୁଆର ଖଳି, କଇଁଥ ଅଠା ମଧ୍ୟ ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ବେହେରଣ ଦ୍ୱାର ରାସ୍ତାରେ ଦଇତାପତିମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପହଞ୍ଚି ମହାପ୍ରଭୁଙ୍କର ଖସାପଡା ନୀତି ସମ୍ପନ୍ନ କରିଥାନ୍ତି। ରଥଯାତ୍ରା ଅବସରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଗୁପ୍ତନୀତି ଅନୁଷ୍ଠିତ ହୋଇଥାଏ । ଏହି ନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏହା ନୀତି ବର୍ଷରେ ଦୁଇରୁ ତିନିଥର ଅନୁଷ୍ଠିତ ହୋଇଥାଏ ।