ପୁରୀ,୧୨/୮ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବବର୍ଷର କୋଭିଡ୍ କଟକଣାର ପୁନରାବୃତ୍ତି କରିଛି । ପ୍ରଥମେ ସେବାୟତ ପରିବାର, ପରେ ପୁରୀବାସୀ ଓ ଶେଷରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି ହୋଇଛି।
ଆଜିଠାରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ଦୁଇଦିନ ଅର୍ଥାତ୍ ଅଗଷ୍ଟ ୧୨ ଓ ୧୩ ତାରିଖ ସେବାୟତ ପରିବାରଙ୍କୁ ଦର୍ଶନ ସୁଯୋଗ ମିଳିବ। ଶନିବାର ଓ ରବିବାର ସଟ୍ଡାଉନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାପରେ ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୧୨ ଘଣ୍ଟା ଖୋଲା ରହିବ। ଅଗଷ୍ଟ ୩୦ ତାରିଖ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ ତାରିଖ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ ରହିବ।