ଓଡ଼ିଶା, ଶିମିଳିପାଳ ସମେତ ୧୦୨ ଜଙ୍ଗଲରେ ବଡ଼ ନିଆଁ

ଭୁବନେଶ୍ବର ୧୫/୦୪ : ନିଆଁ ଗିଳି ଚାଲିଛି ଓଡ଼ିଶାର ଜଙ୍ଗଲ। ଦ୍ବିତୀୟ ପର୍ଯ୍ୟାରେ ଲାଗିଥିବା ଏହି ନିଆଁ ଗୋଟିଏ ପରେ ଗୋଟିଏ ନୂଆ ବନଖଣ୍ଡକୁ ଗ୍ରାସ କରୁଛି। ଉପକୂଳ ଓଡ଼ିଶାର ଜଙ୍ଗଲଗୁଡ଼ିକୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ଜଙ୍ଗଲ ନିଆଁ ହୁ’ ହୁ’ ହୋଇ ଜଳୁଛି। ଗତ ୭ ଦିନର ବନାଗ୍ନିରେ ତ୍ରିପୁରାକୁ ପଛରେ ପକାଇ ଓଡ଼ିଶା ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିଛି। ଏପ୍ରିଲ ୭ରୁ ଆଜି ମଧ୍ୟରେ ଓଡ଼ିଶାରେ ୩୭୭୦ ଚିହ୍ନଟ କରାଯାଇଛି। ଜଙ୍ଗଲ ନିଆଁର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ବନ ବିଭାଗର ଅଧିକାରୀଙ୍କ ପଦକ୍ଷେପ ଆଖିଦୃଶିଆ ହୋଇପାରୁ ନାହିଁ। ଅଧିକାଂଶ ବନଖଣ୍ଡରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଯେଉଁଠି ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇ ଦିଆଯାଇଛି, ସେମାନଙ୍କୁ ବ୍ୟବହାରର ତାଲିମ ଦିଆଯାଇ ନ ଥିବାରୁ ସମସ୍ୟା ହେଉଛି। ଏବେ ମଝିରେ ମଝିରେ କାଳବୈଶାଖୀ ପ୍ରଭାବ ରହୁଥିବାରୁ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯିବାକୁ ଭୟ କରୁଥିବା ନଜରକୁ ଆସିଛି। ତେଣୁ ବିଭାଗୀୟ ବାବୁମାନେ ସବୁ ଆଡ଼ୁ ବିଫଳ ହେବା ପରେ ବର୍ଷାକୁ ଭରସା କରି ବସି ପଡ଼ିଛନ୍ତି।

ଓଡ଼ିଶାର ୯୩୩ଟି ସ୍ଥାନରେ ଆଜି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଅଧିକାଂଶ କୋରାପୁଟ, ବ୍ରହ୍ମପୁର ଓ ଭବାନୀପାଟଣା ସର୍କଲରେ ଲାଗିଛି। ବାରିପଦାରେ ପୁଣିଥରେ ଜଙ୍ଗଲ ନିଆଁ ବ୍ୟାପୁଥିବାର ଖବର ସାମ୍ନାକୁ ଆସିଛି। ରାଉରକେଲା ଓ ଅନୁଗୁଳ ସର୍କଲରେ ମଧ୍ୟ ଲାଗିଥିବା ନେଇ ଜଣାପଡ଼ିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଦେଶର ୫୪୮ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ଗତକାଲି ୮୫ଟି ସ୍ଥାନରେ ବଡ଼ଧରଣ ବନାଗ୍ନି ଥିବା ବେଳେ ଆଜି ୧୦୨ଟି ସ୍ଥାନରେ ଚିହ୍ନଟ ହୋଇଛି, ଯାହାକି ଦେଶରେ ସର୍ବାଧିକ। ଏହା ତଳକୁ ଝାଡ଼ଖଣ୍ଡରେ ୬୨, ତ୍ରିପୁରାରେ ୫୯, ମଣିପୁର ଓ ଆସାମରେ ୫୧ଟି ଲେଖାଏଁ, ଛତିଶଗଡ଼ରେ ୪୧, ଆନ୍ଧ୍ରପ୍ରଦେଶରେ ୩୮ଟି ସାମ୍ନାକୁ ଆସିଛି।

ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୪ ହଜାର ୬୪୯ଟି ବନାଗ୍ନି ହୋଇଛି। ସେଥିମଧ୍ୟରୁ ସର୍ବାଧିକ କୋରାପୁଟ ସର୍କଲରେ ସୃଷ୍ଟି ହୋଇଥିବା ବେଳେ ଏହା ତଳକୁ ବ୍ରହ୍ମପୁର, ଭବାନୀପାଟଣା, ଅନୁଗୁଳ ଓ ରାଉରକେଲା ସର୍କଲ ରହିଛି। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶରେ ୧୭ ହଜାର ୪୦୮, କର୍ଣ୍ଣାଟକରେ ୧୪ହଜାର ୯୯, ମହାରାଷ୍ଟ୍ରରେ ୧୧ ହଜାର ୪୭୩, ତେଲେଙ୍ଗାନାରେ ୧୦ ହଜାର ୭୯୮ ବନାଗ୍ନି ସୃଷ୍ଟି ହୋଇଛି।