କରୋନା ଟୀକା‌ ପାଇଁ ଶୀତଳ ଭଣ୍ଡାର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୪/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଭ୍ୟାକସିନ୍‌ ବିତରଣ ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ବିଶେଷ କରି ଭ୍ୟାକ୍‌ସିନ୍‌ ଭଣ୍ଡାରଣ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ପରାମର୍ଶ ଦେଇ କହିଛନ୍ତି, ଖୁବଶୀଘ୍ର କରୋନା ଭ୍ୟାକ୍‌ସିନ୍‌ ପାଇଁ ଶୀତଳ ଭଣ୍ଡାର ପ୍ରସ୍ତୁତି ଆରମ୍ଭ କରନ୍ତୁ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୋଦି କହିଛନ୍ତି।

ଭାରତୀୟଙ୍କୁ ଶୀଘ୍ର ଓ ସୁରକ୍ଷିତ ଭ୍ୟାକ୍‌ସିନ ଦେବା ଉପ​‌ରେ ଜୋର ଦେଇଛନ୍ତି ମୋଦି। ତେବେ ରାଜ୍ୟଗୁଡ଼ିକ ସହ ଆଲୋଚନା ପରେ ଅଗ୍ରାଧିକାର ଭିତ୍ତିରେ ଭ୍ୟାକସିନ୍‌ ଦେବା ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭ୍ୟାକ୍‌ସିନ୍‌ ବିତରଣ କରାଯିବ। ରାଜ୍ୟଗୁଡ଼ିକ ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ନିୟମିତ ତଦାରଖ ପାଇଁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି ଏବଂ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସହ ଆଲୋଚନା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି।