ଏସଟିଏଫ ଜାଲରେ ଦୁଇ ଟବାକୋ ମାଫିଆ : ଦୁଇ କୁଇଣ୍ଟାଲରୁ ଉର୍ଧ୍ଵ ନକଲି ପାନଜର୍ଦ୍ଦା ଓ ସିଗାରେଟ ଜବତ

ଭୁବନେଶ୍ୱର,୩୦/୯- (ପ୍ରଦୀପ୍ତ କୁମାର ଦାସ) : କ୍ରାଇମବ୍ରାଞ୍ଚ ଏସଟିଏଫ ଜଟଣୀ ବଡତୋଟା ଓ ବାଲିପାଟଣା ଭାକରସାହିରୁ ଦୁଇଟି ନକଲି ପାନଜର୍ଦ୍ଦା ଓ ସିଗାରେଟ ତିଆରି ଗୋଦାମ ଠାବ କରିବା ସହ ଦୁଇ କୁଇଣ୍ଟାଲରୁ ଉର୍ଧ୍ଵ ନକଲି ନାମୀ ପାନଜର୍ଦ୍ଦା ଓ ସିଗାରେଟ ଜବତ କରିଛି । ଏହି ବେଆଇନ ଚୋରା କାରବାରରେ ଲିପ୍ତ ଦୁଇଜଣ ମାଫିଆଙ୍କୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି ଏସଟିଏଫ । ତେବେ ମଙ୍ଗଳବାର ବିଭାଗୀୟ ଗୁଇନ୍ଦା ସୂତ୍ରରୁ ଏସମ୍ପର୍କିତ ଖବର ପାଇ ଉକ୍ତ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା ।

ସେଠାରୁ ନାମିଦାମୀ ଗୋପାଳ,ଡିଲକ୍ସ,ସୁରଭି,କନକ,ଶିବଦାତା ଓ କେଶରୀଲାଲ ବ୍ରାଣ୍ଡର ଜର୍ଦ୍ଦା ନକଲ କରାଯାଇ ତିଆରି କରାଯିବାପରେ ଏହାର ଛାପ ଦିଆଯାଇ ଡବା ପ୍ରସ୍ତୁତ ପରେ ବଜାରରେ ବିକ୍ରିପାଇଁ ପଠାଯାଉଥିଲା । ସେଠାରୁ ଏସବୁ ବେଆଇନ ସାମଗ୍ରୀକୁ ଜବତ କରିବାସହ ଜଟଣୀରୁ ବାବୁ ଓରଫ ପବିତ୍ର କୁମାର ପ୍ରସାଦ ଓ ବାଲିପାଟଣାରୁ ଲକ୍ଷ୍ମୀଧର ସାହୁକୁ ଗିରଫ କରି ଏସଟିଏଫ ସ୍ଥାନୀୟ ଥାନାରେ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଜଟଣୀ ଓ ବାଲିପାଟଣା ଥାନାରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହେବା ପରେ ଉକ୍ତ ଥାନାର ପୋଲିସ ଏନେଇ ଅଧିକ ଅନୁସନ୍ଧାନ ଜାରିରଖିଥିବା ଜଣାପଡିଛି ।