କ୍ରାଇମ ବ୍ରାଞ୍ଚ ଏସଟିଏଫ ଜାଲରେ ୩ ନିଶା ମାଫିଆ : ପୁଣି ଜବତ ହେଲା ଅଢେଇ କେଜି ବ୍ରାଉନ ସୁଗର

ଭୁବନେଶ୍ୱର,୧୭ /୮: (ପ୍ରଦୀପ୍ତ କୁମାର ଦାସ) – କ୍ରାଇମ ବ୍ରାଞ୍ଚ ଏସଟିଏଫକୁ ପୁଣି ମିଳିଛି ବଡ଼ ସଫଳତା । ବିଭାଗୀୟ ଗୋଇନ୍ଦା ସୂତ୍ରରୁ ଖବର ପାଇ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମାର୍କେଟ ଅଂଚଳରେ ପୁଣି ଚଢ଼ାଉ କରି ପ୍ରାୟ ଅଢେଇ କେଜି ଓଜନର ଧଳା ଜହର ତଥା ବ୍ରାଉନ ସୁଗର ଜବତ କରିଛି ଏସଟିଏଫ । ତେବେ ଏହି ନିଶା ଚୋରା କାରବାରରେ ସମ୍ପୃକ୍ତ ୩ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ଜଳେଶ୍ୱରର ମମତାଜ ଖାଁ, ଜଗତସିଂହପୁରର ଉଦୟନାଥ ରଥ ଓ କଟକ ବୟାଳିଶମୌଜାର ପ୍ରଦୀପ କୁମାର ଦାସ । ସେମାନଙ୍କ ଠାରୁ ଏହି ବିପୁଳ ପରିମାଣର ବ୍ରାଉନ ସୁଗର ଜବତ କରାଯାଇଛି ।

 

 

ସେଠାରୁ ଭେଣ୍ଡରମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ଅଂଚଳକୁ ଏହି ଧଳା ଜହର ପଠାଯାଇଥାନ୍ତା, ହେଲେ ତାହା ପଣ୍ଡ ହୋଇଛି । ତେବେ ଆନ୍ତର୍ଜାତୀୟ ବଜାରରେ ଜବତ ହୋଇଥିବା ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଊର୍ଧ୍ୱ ହେବ ବୋଲି କୁହାଯାଉଛି । ଏ ସଂକ୍ରାନ୍ତରେ ଏସଟିଏଫ ଏନ୍ଡିପିଏସ ଆଇନ ଅନୁସାରେ କେସ ନଂ ୩୦ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ଆସାମୀ ମାନଙ୍କ ଠାରୁ ଏହି ବେଆଇନ ଚୋରା ନିଶା କାରବାରରେ ବ୍ୟବହୃତ ଦୁଇଟି ବାଇକ ଓ ଏକ ସ୍କୁଟର ମଧ୍ୟ ଜବତ କରିଛି ଏସଟିଏଫ । ତେବେ ଇତି ମଧ୍ୟରେ ଏସଟିଏଫ ମୋଟ ଏପରି ୧୦୦ ଜଣ ନିଶା ଚୋରା ବେପାରୀଙ୍କୁ ଗିରଫ କରିଥିବା ବେଳେ ୩୮ କେଜି ବ୍ରାଉନ ସୁଗର ଓ ୮୪ କୁଇଣ୍ଟାଲ ୨୮ କେଜି ଗଞ୍ଜାଇ ଜବତ କରିବାରେ ସଫଳତା ହାସଲ କରିଥିବା ଜଣାପଡିଛି ।