ଅନୁଗୁଳ,୨୮ /୧୦ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଦୁର୍ବୁତ୍ତମାନେ ଝରକା ତାଡି ପୁଲିସ ବାବୁଙ୍କ ଘରୁ ଟଙ୍କା, ସୁନା ଗହଣା ଲୁଟି ନେଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ବସନ୍ତ ଜେନାଙ୍କ ଘରେ ଦୁର୍ବୁତ୍ତ ମାନେ ଘରେ ପଶିଥିଲେ । ଶ୍ରୀ ଜେନା ନିଜ ସ୍ତ୍ରୀ ଓ ପୁଅ ବୋହୂ ଉକ୍ତ ଘରେ ରହୁଥିଲେ। ଦୁର୍ବୁତ୍ତମାନେ ଆସି ପ୍ରଥମେ ଝରକା ଗ୍ରୀଲ ତାଡ଼ି ଘର ଭିତରକୁ ପଶି ଉକ୍ତ ଘରର କବାଟକୁ ଭିତରପାଖରୁ ବନ୍ଦ କରି ଦେଇଥିଲେ। ପରେ ଆଲମାରୀ ଚାବି ଖୋଲି ସବୁ ଗହଣା ଓ ଟଙ୍କା ଲୁଟି ନେଇଥିଲେ।
ଏନେଇ ଶ୍ରୀ ଜେନା ଆଜି ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଲମାରୀରୁ ନଗଦ୨୪ହଜାର ୩୦୦ ଟଙ୍କା, ସୁନା ମୁଦି, ଚେନ, ହାର, ବ୍ରେସଲେଟ ଚୋରି ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏତଲା କ୍ରମେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଛି । ଢେଙ୍କାନାଳରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଆସି ଛାନ ଭିନ କରିଛି। ନାଲକୋ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।