ଭୁବନେଶ୍ଵର: ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ବର କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ବର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋବିଡ଼ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ କୋଭିଡ ପରିଚାଳନା ଵିଷୟରେ ସମୀକ୍ଷା କରି କହିଥିଲେ ଯେ, ମନରେଗା ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।